ଲାଇଭ୍ ଷ୍ଟ୍ରିମିଂରେ କରୁଥିଲେ ସୁଇସାଇଡ୍; ଫେସବୁକ୍ ହେଡକ୍ବାର୍ଟରରୁ ଆସିଲା ଆଲର୍ଟ, ଆଉ ତା’ପରେ…

1 min read

ମୁମ୍ବାଇ: ଜଣେ ଯୁବକ ଫେସବୁକ ଲାଇଭ୍ ଷ୍ଟ୍ରିମିଂରେ ସୁଇସାଇଡ୍ କରିବାକୁ ଚାହୁଁଥିଲା ବେଳେ ଆୟର୍ଲାଣ୍ଡରୁ ନେଇ ଭାରତର ମୁମ୍ବାଇ ଯାଏଁ ହଇଚଇ ସୃଷ୍ଟି ହୋଇଥିଲା । ଯାହା ଫଳରେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ସମ୍ପୃକ୍ତ ଯୁବକ।

ଘଟଣାଟି ଥିଲା କିଛି ଏହିପରି । ଆୟର୍ଲାଣ୍ଡରେ ଥିବା ଫେସବୁକ୍ ମୁଖ୍ୟାଳୟରୁ ମୁମ୍ବାଇ ପୋଲିସକୁ ଏନେଇ ଏକ ଆଲର୍ଟ ଆସିଥିଲା । ମୁମ୍ବାଇର ଜଣେ ୨୩ ବର୍ଷୀୟ ଯୁବକ ଜ୍ଞାନେଶ୍ୱର ପାଟିଲ ଫେସବୁକରେ ଲାଇଭ୍ ଷ୍ଟ୍ରିମିଂ ଜରିଆରେ ହାତରେ ବ୍ଲେଡ୍ ଧରି ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି। ଏହି ଖବର ପାଇବାର ୫୦ ମିନିଟ୍ ମଧ୍ୟରେ ପୋଲିସ୍ ଟିମ୍ ସମ୍ପୃକ୍ତ ଯୁବକଙ୍କ ଘରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା।

ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେ ସୁସ୍ଥ ଥିବା ଜଣାପଡିଛି ।

ରବିବାର ରାତି ୮ଟା ୧୦ମି. ସମୟରେ ମୁମ୍ବାଇ ସାଇବର ପୋଲିସ୍ ଡିସିପି ରଶ୍ମି କରାଣ୍ଡିକରଙ୍କୁ ଆୟର୍ଲାଣ୍ଡର ଫେସବୁକ୍ ମୁଖ୍ୟାଳୟରୁ ଏକ କଲ ଆସିଥିଲା । ଯେଉଁଥିରେ ଜଣେ ଯୁବକ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ଏବଂ ଏହାକୁ ସେ ଫେସବୁକରେ ଲାଇଭ ଷ୍ଟ୍ରିମ୍ କରୁଛନ୍ତି। ଏହା ବ୍ୟତିତ ଫେସବୁକ୍ ମୁଖ୍ୟାଳୟରୁ ଏସମ୍ପର୍କିତ ସ୍କ୍ରିନସଟ୍ ମଧ୍ୟ ଶେୟାର କରାଯାଇଥିଲା ।

ପରେ ମୁମ୍ବାଇର ସାଇବର ପୋଲିସ ଅଫିସର ଏହାକୁ ଗୁରୁତର ଭାବେ ନେବାସହ ଯୁବକଟିର ଲାେକେସନ ଖୋଜିବାରେ ଲାଗି ପଡିଥିଲେ । ୨୦ ମିନିଟ୍ ମଧ୍ୟରେ ପିନ୍-ପଏଣ୍ଟ ସ୍ଥାନ ପାଇଯାଇଥିଲେ ଅଧିକାରୀ ମାନେ । ଡିସିପି ରଶ୍ମୀ କରାଣ୍ଡିକର କହିଛନ୍ତି ଯେ ପିନ୍ ପଏଣ୍ଟ ଅବସ୍ଥାନ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ କଷ୍ଟସାଧ୍ୟ କାର୍ଯ୍ୟ।

ଆମ ପାଖରେ ତା’ର ନାମ ଓ ବିଲ୍ଡିଂର ଠିକଣା ଥିଲା । ଯାହା ଫଳରେ ରାତି ୮.୩୦ମି. ବେଳକୁ ଧୁଲେର ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜଣାଇଥିଲୁ । ଖବର ପାଇବା ପରେ ଧୁଲେ ଅଧିକାରୀମାନେ ରାତି ୯ଟାରେ ପାଟିଲଙ୍କ ଘରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ।

ହେଲେ ସେତେବେଳକୁ ତାଙ୍କ ବେକରୁ ରକ୍ତ ବାହାରୁଥିଲା । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା । ଯେଉଁଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିପଦମୁକ୍ତ ରହିଛି ।

Leave a Reply