ଆମେରିକାକୁ ଇରାନର ଧମକ; ଟ୍ରମ୍ପଙ୍କୁ ମାରିବାକୁ କ୍ରୁଜ ମିସାଇଲ ପ୍ରସ୍ତୁତ ହୋଇଛି

1 min read

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମାରିବାକୁ ଯୋଜନା କରୁଛି ଇରାନ । ଇରାନର ଟପ୍ କମାଣ୍ଡର ଟିଭି ସାକ୍ଷାତକାରରେ ଖୁଲମଖୁଲା ଆମେରିକାକୁ ଧମକ ଦେଇଛନ୍ତି । ଧମକ ଦେଇ କମାଣ୍ଡର କହିଛନ୍ତି ଯେ, ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମାରିବା ପାଇଁ ଇରାନ ୧,୬୫୦ କିମି ମାରକ କ୍ଷମତା ଥିବା କ୍ରୁଜ ମିସାଇଲ ବିକଶିତ କରିଛି । ଖୁବଶୀଘ୍ର ସେ ନିଜ କମାଣ୍ଡରଙ୍କ ହତ୍ୟାର ପ୍ରତିଶୋଧ ନେବ । ଇରାନର ଶୀର୍ଷ କମାଣ୍ଡରଙ୍କ ଧମକ ପରେ ଆମେରିକା ସମେତ ପାଶ୍ଚାତ୍ୟ ଦେଶର ଚିନ୍ତା ବଢ଼ିଯାଇଛି କାରଣ ରୁଷ୍-ୟୁକ୍ରେନ ଯୁଦ୍ଧରେ ରୁଷ୍ ଇରାନର ଡ୍ରୋନ ସହାୟତାରେ କିଭ ଉପରେ ଲଗାତାର ବୋମାବର୍ଷଣ କରୁଛି ।

ଇରାନର ରିଭଲ୍ୟୁସନାରୀ ଗାର୍ଡସ ଏୟରୋସ୍ପେସ ଫୋର୍ସର ମୁଖିଆ ଅମିରାଲି ହାଜିଜାଦେହ କହିଛନ୍ତି ଯେ, ଇରାନ ଏକ ଶୀର୍ଷ କମାଣ୍ଡରଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ପ୍ରସ୍ତୁତ ଅଛି । ଷ୍ଟେଟ ଟିଭି ଚ୍ୟାନେଲ ସହ ଆଲୋଚନା ବେଳେ ସେ କହିଛନ୍ତି, ଆମେ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମାରିବାକୁ ଚାହୁଁଛୁ । ହଜିଜାଦେହ ଆଗକୁ କହିଥିଲେ, ୧,୬୫୦ କିମିର ରେଞ୍ଜ ଥିବା ଆମର କ୍ରୁଜ ମିସାଇଲକୁ ଇସଲାମିକ ରିପବ୍ଲିକ ଅଫ୍ ଇରାନର ମିସାଇଲ ଶସ୍ତ୍ରଗାରରେ ଯୋଡ଼ାଯାଇଛି । ଇରାନ କେବେ ବି ନିର୍ଦ୍ଦୋଶ ସୈନିକଙ୍କୁ ମାରିବାର ଉଦ୍ଦେଶ୍ୟ ରଖିନଥାଏ ।

କିନ୍ତୁ ଯେତବେଳେ ଆମେରିକା ବଗଦାଦରେ ୨୦୨୦ରେ ଡ୍ରୋନ ଆକ୍ରମଣରେ ଇରାନୀ ସୈନ୍ୟ କମାଣ୍ଡର କାସିମ ସୁଲେମାନୀଙ୍କ ହତ୍ୟା କରିଥିଲା ତେବେ ପାଲଟା ଜବାବରେ ତାକୁ ଆମେରିକୀୟ ସେନା ଉପରେ ବାଲିଷ୍ଟିକ୍ ମିସାଇଲରେ ଆକ୍ରମଣ କରିବାକୁ ପଡ଼ିଥିଲା । ହାଜିଜାଦେହ କହିଥିଲେ ଯେ, ଇଶ୍ୱର ଯଦି ଚାହାନ୍ତି ତେବେ ଆମେ ଟ୍ରମ୍ପଙ୍କୁ ହତ୍ୟା କରିବୁ । ପୂର୍ବତନ ବିଦେଶ ମନ୍ତ୍ରୀ ମାଇକ ପମ୍ପିୟୋ ଏବଂ ସୁଲେମାନୀଙ୍କୁ ମାରିବା ପାଇଁ ଆଦେଶ ଦେଇଥିବା ସୈନ୍ୟ କମାଣ୍ଡରଙ୍କୁ ମାରିଦେବା ଜରୁରୀ । ଇରାନୀ ନେତାମାନେ ସୁଲେମାନୀଙ୍କ ପ୍ରତିଶୋଧ ନେବା ପାଇଁ ବଡ଼ ପଦକ୍ଷେପ ନେବାକୁ ପ୍ରତିଜ୍ଞା ନେଇଛନ୍ତି ବୋଲି କହିଛନ୍ତି ଟପ୍ କମାଣ୍ଡର ।