ଆଇପିଏଲ-୨୦୨୨: ଆଜି ସନ୍‌ ରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରାଜସ୍ଥାନ ରୟାଲ୍ସ

1 min read

ମୁମ୍ବାଇ: ଆଇପିଏଲ ସିଜନ-୧୫ର ପଞ୍ଚମ ମ୍ୟାଚରେ ଆଜି ମୁହାଁମହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଦଳର ପ୍ରଦର୍ଶନ ଗତ ସିଜନରେ ବେଶ୍ ନିରାଶାଜନକ ରହିଥିଲା । ଗତଥର ରାଜସ୍ଥାନ ରୟାଲସ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ଥିଲାବେଳେ ସନରାଇଜର୍ସ ହାଇଦ୍ରାବାଦ ଶେଷ ସ୍ଥାନରେ ରହିଥିଲା । ରାଜସ୍ଥାନ ରୟାଲ୍ସ ୧୪ଟି ମ୍ୟାଚରୁ ମାତ୍ର ୫ଟିରେ ବିଜୟ ଲାଭ କରିଥିବାବେଳେ ହାଇଦ୍ରାବାଦ ୧୪ଟି ମ୍ୟାଚରୁ ମାତ୍ର ତିନୋଟି ମ୍ୟାଚ ଜିତିଥିଲା । ତେବେ ଚଳିତ ମେଗା ନିଲାମରେ ଉଭୟ ଦଳ ଅନେକ ଖେଳାଳି ପରିବର୍ତ୍ତନ କରିଛନ୍ତି ।

ଚଳିତ ବର୍ଷ ସନରାଇଜର୍ସ ହାଇଦ୍ରାବାଦର ପେସ୍ ବୋଲିଂ ଆଟାକ ସମ୍ଭାଳିବେ ଭୁବନେଶ୍ୱର କୁମାର, ଟି ନଟରାଜନ ଓ ଉମ୍ରାନ ମଲ୍ଲିକ । ସେହିପରି ୱାସିଂଟନ ସୁନ୍ଦର ମୁଖ୍ୟ ସ୍ପିନର ଭାବେ ଖେଳିବେ । ଯଦି ବ୍ୟାଟିଂ କଥା କହିବା ତାହାଲେ ଏଥର ଦଳର ବ୍ୟାଟିଂ ବିଭାଗ ମଧ୍ୟ ସନ୍ତୁଳିତ । ଘରୋଇ ଖେଳାଳି ଯୋଡି ରାହୁଲ ତ୍ରିପାଠୀ ଓ ଅଭିଷେକ ପାଳି ଆରମ୍ଭ କରିବା ଆଶା କରାଯାଉଛି । ମଧ୍ୟକ୍ରମରେ ଅଧିନାୟକ କେନ ୱିଲିୟମସନ, ଆଡେନ ମାରକ୍ରମ ଓ ନିକୋଲାସ ପୂରନ ପାଳି ସମ୍ଭାଳିବେ ।

ସେହିପରି ଗତ ସିଜିନ ଭଳି ରାଜସ୍ଥାନ ରୟାଲ୍ସ ଏଥର ମଧ୍ୟ ସନ୍ତୁଳିତ ଓ ଶକ୍ତିଶାଳୀ ମନେ ହେଉଛି। ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରିଷ୍ଣା, ଆର ଅଶ୍ୱିନ ଓ ୟୁଜିବେନ୍ଦ୍ର ଚହଲ ବୋଲିଂ ଆଟାକ ସମ୍ଭାଳିବେ । ଜୋସ ବଟଲର, ଦେବଦତ୍ତ ପାଡିକଲ, ଯଶସ୍ୱୀ ଜୈସ୍ୱାଲ, ସିମରନ ହେଟମେୟର ଓ ଅଧିନାୟକ ସଞ୍ଜୁ ସାମସନ ବ୍ୟାଟିଂ ବିଭାଗ ସମ୍ଭାଳିବେ ।