ହାରିଲା ମୁମ୍ୱାଇ : ୯ ଓ୍ୱିକେଟ୍‌ରେ ପଞ୍ଜାବ କିଙ୍ଗସ୍ ବିଜୟୀ

ଚେନ୍ନାଇ: ଲଗାତର ପରାଜୟ ବରଣ କରିଛି ଗତଥରର ଚମ୍ପିଆନ୍ ମୁମ୍ୱାଇ ଇଣ୍ଡିଆନ୍ସ । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ ହାରିବା ପରେ ଶୁକ୍ରବାର ପଞ୍ଚାବ ବିପକ୍ଷରେ ଖେଳିଥିବା ମ୍ୟାଚ୍‌ରେ ମଧ୍ୟ ପରାଜିତ ହୋଇଛି ଦଳ । ମୁମ୍ୱାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଦାରିତ ଓଭରରେ ମାତ୍ର ୧୩୧ ରନ୍‌ କରିପାରିଥିଲା । ଏହାର ଜବାବରେ ପଞ୍ଜାବ ଗୋଟିଏ ୱିକେଟ ହରାଇ ୧୪ ବଲ୍‌ ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କରିନେଇଛି। ପଞ୍ଜାବ ପକ୍ଷରୁ ଅଧିନାୟକ କେଏଲ ରାହୁଲ ଅପରାଜିତ ୬୦ରନ୍‌ର କରିଥିବା ବେଳେ କ୍ରିସ୍ ଗେଲ୍ ମଧ୍ୟ ଅପରାଜିତ ୪୩ ରନ୍ କରିଛନ୍ତି । ମୁମ୍ବାଇ ଦେଇଥିବା ୧୩୨ ରନ୍‌ର ଟାର୍ଗେଟ ପିଛା କରୁଥିବା ପଞ୍ଜାବ ଜବରଦସ୍ତ ଆରମ୍ଭ କରିଥିଲା। ଦଳର ଦୁଇ ଓପନର ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ସହ ମୁମ୍ବାଇ ବୋଲରଙ୍କୁ ନିରାଶ କରିଥିଲେ। ବିଶେଷ କରି ମୟଙ୍କ ଅଗ୍ରୱାଲ ବଡ଼ବଡ଼ ସଟ୍‌ ଖେଳିଥିଲେ। ତାଙ୍କୁ କେଏଲ ରାହୁଲ ଭରପୂର ସହଯୋଗ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୫୩ ରନ୍‌ ଯୋଡ଼ିଥିଲେ। ତେବେ ଏହି ସମୟରେ ମୟଙ୍କ ୨୦ ବଲ୍‌ରେ ୨୫ ରନ୍‌ କରି ରାହୁଲ ଚହରଙ୍କ ବଲ୍‌ରେ ଆଉଟ ହୋଇଯାଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ବିସ୍ଫୋରକ କ୍ରିସ୍‌ ଗେଲ୍‌। କିନ୍ତୁ ସେ ଆରମ୍ଭରୁ ବେଶ ସତର୍କତାର ସହ ଖେଳିଥିଲେ। ମୁମ୍ବାଇର ଦୁଇ ସ୍ପିନର ଜୟନ୍ତ ଯାଦବ ଓ ରାହୁଲ ଚହର ଜବରଦସ୍ତ ବୋଲିଂ କରି ରାହୁଲ କିମ୍ବା ଗେଲ୍‌ଙ୍କୁ ବଡ଼ ଶଟ ଖେଳିବାର ସୁଯୋଗ ଦେଇନଥିଲେ। କିନ୍ତୁ ଗେଲ୍‌ ସେଟ୍‌ ହୋଇଗଲା ପରେ ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ରାହୁଲ ମଧ୍ୟ ସିଙ୍ଗଲ ଓ ଦୁଇ ରନ୍‌ ନେଇ ଷ୍ଟ୍ରାଇକ ରୋଟରେଟ୍‌ କରିଥିଲେ। ସ୍ଥିତି ଏପରି ହୋଇଥିଲା ଯେ ପଞ୍ଜାବକୁ ଶେଷ ୨୪ ବଲ୍‌ରେ ୨୪ ରନ୍‌ର ଦରକାର ରହିଥିଲା। ଏହି ସମୟରେ ରାହୁଲ ୪୯ ବଲରେ ୪୯ ଓ ଗେଲ୍‌ ୨୮ ବଲ୍‌ରେ ୩୦ ରନ୍‌ କରି ଅପରାଜିତ ରହିଥିଲେ।

Leave a Reply