ଆତଙ୍କବାଦୀ ସଂସ୍ଥା ସହ ଜଡ଼ିତ କାର୍ଯ୍ୟକଳାପ ମାମଲାରେ ୬ ରାଜ୍ୟରେ ଏନଆଇଏର ଚଢ଼ାଉ

1 min read

ଫାଇଲ ଫଟୋ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ୬ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ଆତଙ୍କବାଦୀ ସଂସ୍ଥା ଆଇଏସଆଇଏସ ସହ ସମ୍ବନ୍ଧିତ କାର୍ଯ୍ୟକଳାପକୁ ନେଇ ଏହି ରେଡ୍ କରାଯାଇଛି । ଯେଉଁ ରାଜ୍ୟରେ ଚଢାଉ ହୋଇଛି ସେମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶ, ଗୁଜୁରାଟ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶ ସାମଲି ରହିଛି । ଏନଆଇଏ ମଧ୍ୟପ୍ରଦେଶର ଭୋପାଳ-ରାୟସେନ, ଗୁଜୁରାଟର ଭରୁଚ-ସୁରଟ-ନଭସାରୀ-ଅହମ୍ମଦାବାଦ, ବିହାରର ଅରରିୟା, କର୍ଣ୍ଣାଟକର ଭଟକଲ-ଟୁଙ୍କୁର, ମହାରାଷ୍ଟ୍ରର କୋହ୍ଲାପୁର-ନାନ୍ଦେଡ଼ ଏବଂ ଉତ୍ତରପ୍ରଦେଶର ଦେବବନ୍ତ ଜିଲ୍ଲାରେ ରେଡ୍ ମାରିଛି ।

ଏପର୍ଯ୍ୟନ୍ତ ସୁଦ୍ଧା ଅନେକ ଲୋକଙ୍କୁ ହେପାଜତକୁ ନିଆଯାଇଛି । ସୁରକ୍ଷା ଦୃଷ୍ଟିରେ ସୁରକ୍ଷାକର୍ମୀ ମଧ୍ୟ ଅଞ୍ଚଳରେ ନିୟୋଜିତ ଅଛନ୍ତି । ଆପତ୍ତିଜନକ କାଗଜପତ୍ର, ଓ ସାମଗ୍ରୀ ଜବତ ହୋଇଛି । ଯାଞ୍ଚ ଏବେବି ଜାରି ରହିଛି । ଏନଆଇଏ ପକ୍ଷରୁ ମାମଲା ରୁଜୁ କରାଯିବାର ଗୋଟିଏ ସପ୍ତାହ ପରେ ଏହି ଚଢାଉ କରାଯାଇଛି । ତେବେ ସୂଚନା ଅନୁଯାୟୀ, ଯେଉଁ ସ୍ଥାନରେ ସବୁ ରେଡ୍ ମରାଯାଇଛି, ଏସବୁ ସ୍ଥାନ ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆ (ଏସଡିପିଆଇ) ସହ ଜଡିତ ଲୋକମାନଙ୍କର ଅଟେ । ଏନଆଇଏ ଗତ ୨୫ ଜୁନରେ ଆଇପିସିର ଧାରା ୧୫୩ଏ, ୧୫୩ବି ଏବଂ ୟୁଏ (ପି) ଅଧିନିୟମର ଧାରା ୧୮, ୧୮ବି, ୩୮, ୩୯ ଏବଂ ୪୦ ଆଧାରରେ ମାମଲା ରୁଜୁ କରିଥିଲା ।