୨ଶହରୁ ଅଧିକ ଭାରତୀୟ ବଂଶୋଦ୍ଭବଙ୍କ ନେତୃତ୍ୱରେ ୧୫ ଦେଶ

1 min read

ନୂଆଦିଲ୍ଲୀ: ବିଶ୍ୱ ଦରବାରରେ ଭାରତୀୟଙ୍କ କମାଲ। ଭାରତୀୟ ବଂଶୋଦ୍ଭବ ଏବେ ବିଶ୍ୱର ବଡ଼ ବଡ଼ ଦେଶରେ ଉଚ୍ଚତମ ପଦବିରେ ରହି ନେତୃତ୍ୱ ନେଉଛନ୍ତି। ଆମେରିକା ଏବଂ ବ୍ରିଟେନ ସମେତ ବିଶ୍ୱର ୧୫ ଟି ଦେଶରେ ୨ଶହରୁ ଅଧିକ ଭାରତୀୟ ନେତୃତ୍ୱ ନେଉଛନ୍ତି।  ଏହି ଲୋକଙ୍କ ମଧ୍ୟରୁ ପ୍ରାୟ ୬୦ ଜଣ ବିଭିନ୍ନ ଦେଶର ମନ୍ତ୍ରୀମଣ୍ଡଳରେ ନିଜର ସ୍ଥାନକୁ ଅକ୍ତିଆର କରିଛନ୍ତି। ଏଭଳି ସୂଚନା ‘୨୦୨୧ ଇଣ୍ଡିଆସ୍ପୋରା ଗଭରମେଣ୍ଟ ଲିଡର’ ର ପ୍ରଥମ ତାଲିକାରେ ଦିଆଯାଇଛି।

 

ଏହି ରିପୋର୍ଟ ସରକାରୀ ୱେବସାଇଟ୍ ଏବଂ ଅନ୍ୟାନ୍ୟ ସାର୍ବଜନୀନ ଉପଲବ୍ଧ ଉତ୍ସ ଆଧାରରେ ପ୍ରସ୍ତୁତ କରାଯାଇଛି। ତାଲିକାରେ କୁହାଯାଇଛି ଯେ ଭାରତୀୟ ବଂଶୋଦ୍ଭବ ୨ଶହରୁ ଅଧିକ ଲୋକ ବିଶ୍ୱର ୧୫ ଟି ଦେଶର ଜନସେବାରେ ବଡ଼ ପଦବୀରେ ନିୟୋଜିତ ରହିଛନ୍ତି।

 

ଇଣ୍ଡିଆସ୍ପୋରାର ପ୍ରତିଷ୍ଠାତା, ଶିଳ୍ପପତି ତଥା ନିବେଶକ ଏମ୍‌ ଆର୍‌ ରଙ୍ଗସ୍ୱାମୀ କହିଛନ୍ତି ଯେ ବିଶ୍ୱର ସର୍ବ ପୁରାତନ ଗଣତାନ୍ତ୍ରିକ ଦେଶ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାରତୀୟ ବଂଶୋଦ୍ଭବ ହୋଇଛନ୍ତି ଯାହା ଆମପାଇଁ ଅତ୍ୟନ୍ତ ଗର୍ବର ବିଷୟ।

ସେପଟେ ଏହି ତାଲିକା ସମ୍ପର୍କରେ ଆମେରିକାର ସାଂସଦ ଆମି ବେରା କହିଛନ୍ତି ଯେ ‘୨୦୨୧ ଇଣ୍ଡିଆସ୍ପୋରା ଗଭରମେଣ୍ଟ ଲିଡର’ ତାଲିକାରେ ଅନ୍ତର୍ଭୁକ୍ତ ହେବା ତାଙ୍କ ପାଇଁ ଗର୍ବର ବିଷୟ। ସଂସଦରେ ଦୀର୍ଘତମ ସେବା କରୁଥିବା ଭାରତୀୟ-ଆମେରିକୀୟ ସାଂସଦ ଭାବରେ ମୁଁ ଏହି ସମ୍ପ୍ରଦାୟର ନେତା ହୋଇଥିବାରୁ ଗର୍ବିତ ବୋଲି ସେ କହିଛନ୍ତି।

ସବୁଠାରୁ ବଡ଼ କଥା ହେଉଛି ଯାହା ଇଣ୍ଡିଆସ୍ପୋରା ତାର ଏକ ବିବୃତ୍ତିରେ କହିଛି ଯେ ‘୨୦୨୧ ଇଣ୍ଡିଆସ୍ପୋରା ଗଭରମେଣ୍ଟ ଲିଡର’ ତାଲିକାରେ ଅନ୍ତର୍ଭୁକ୍ତ ସରକାରୀ ଦେଶଗୁଡିକର ଜିଡିପି ପ୍ରାୟ ୨୮ ଟ୍ରିଲିୟନ ଡଲାର ଅଟେ। ଯାହା ବିଶ୍ୱ ସ୍ତରରେ ଏହି ନେତାଙ୍କ ପ୍ରଭାବକୁ ହିଁ ଦର୍ଶାଉଛି। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ୩୨ ମିଲିୟନ PIO ସହିତ ଭାରତୀୟମାନେ ବିଶ୍ୱର ସର୍ବବୃହତ ବିଦେଶୀ ଜନସଂଖ୍ୟା।

Leave a Reply