୧୦୭ ମେଡାଲ ସହ ଏସିଆନ ଗେମ୍ସରେ ଅଭିଯାନ ଶେଷ କଲା ଭାରତ

ହଙ୍ଗଝୋଉ: ଏସିଆନ ଗେମ୍ସରେ ଭାରତର ଅଭିଯାନ ଶେଷ ହୋଇଯାଇଛି । ଚଳିତ ଏସିଆନ ଗେମ୍ସରେ ଭାରତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି । ଏସିଆନ ଗେମ୍ସ ୨୦୨୩ରେ ଭାରତୀୟ ଖେଳାଳି ୧୦୭ ପଦକ ଜିତିଛନ୍ତି । ଏସିଆନ ଗେମ୍ସ ଇତିହାସରେ ଭାରତ ପ୍ରଥମଥର ପାଇଁ ୧୦୦ ପଦକ ଅତିକ୍ରମ କରିଛି । ଭାରତ ୨୮ସ୍ୱର୍ଣ୍ଣ ବ୍ୟତୀତ ୩୮ ରୌପ୍ୟ ଏବଂ ୪୧ ବ୍ରୋଞ୍ଜ ପଦକ ଜିତିଛି । ଅଭିଯାନ ଶେଷ ସୁଦ୍ଧା ଭାରତ ମେଡାଲ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ସେହିପରି ଚୀନ ତାଲିକାର ଶୀର୍ଷରେ ରହିଛି । ୧୯୪ ସ୍ୱର୍ଣ୍ଣ ସମେତ ୩୬୮ ମେଡାଲ ଜିତିଛି ଡ୍ରାଗନ । ଏହାପରେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ କ୍ରମଶଃ ଜାପାନ ଏବଂ ଦକ୍ଷିଣ କୋରିଆ ରହିଛନ୍ତି । ଜାପାନ ୪୮ ସ୍ୱର୍ଣ୍ଣ ସମେତ ୧୭୭ ମେଡାଲ ଜିତିଥିବା ବେଳେ ଦକ୍ଷିଣ କୋରିଆ ୩୯ ସ୍ୱର୍ଣ୍ଣ ସମେତ ୧୮୩ ପଦକ ଜିତିଛି ।

ଏସିଆନ ଗେମ୍ସର ପ୍ରଥମ ଦିନ ଭାରତୀୟ ଖେଳାଳି ୫ ମେଡାଲ ଜିତି ଭଲ ଆରମ୍ଭ କରିଥିଲେ । ଏହାପରେ ଦ୍ୱିତୀୟ ଦିନ ଭାରତ ଖାତାରେ ୬ ମେଡାଲ ଚଢିଥିଲା । ସେହିପରି ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ଦିନରେ ଭାରତ କ୍ରମଶଃ ୩, ୮ ଏବଂ ୩ ପଦକ କବଜା କରିଥିଲା । ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଆଗକୁ ମଧ୍ୟ ଜାରି ରହିଥିଲା । ଭାରତ ଷଷ୍ଠ, ସପ୍ତମ, ଅଷ୍ଟମ ଏବଂ ନବମ ଦିନରେ କ୍ରମଶଃ ୮, ୫, ୧୫ ଏବଂ ୭ ମେଡାଲ ଜିତିଥିଲା । ଭାରତୀୟ ଖେଳାଳି ଦଶମ, ଏଗାରତମ, ବାରତମ, ତେରତମ ଏବଂ ଚଉଦତମ ଦିନରେ କ୍ରମଶଃ ୯, ୧୨, ୫, ୯ ଏବଂ ୧୨ ମେଡାଲ ନିଜ ନାଁରେ କରିଥିଲେ । ଏହା ପୂର୍ବରୁ ଭାରତ ୨୦୦୮ ଏସିଆନ ଗେମ୍ସରେ ଚମତ୍କାର ପ୍ରଦର୍ଶନ କରିଥିଲା । ଭାରତ ଜାକର୍ତ୍ତା ଏସିଆନ ଗେମ୍ସରେ ୭୦ ପଦକ ଜିତିଥିଲା । କିନ୍ତୁ ଏବେ ଭାରତୀୟ ଖେଳାଳି ନିଜର ପୂରୁଣା ରେକର୍ଡକୁ ପଛରେ ପକାଇ ଦେଇଛନ୍ତି ।