ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ ଋଷି ସୁନକ, ୨୮ରେ ନେବେ ଶପଥ

ଲଣ୍ଡନ: ବ୍ରିଟେନ ରାଜନୈତିକ ସଙ୍କଟରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ଇଂରେଜଙ୍କ ଉପରେ ରାଜ୍ କରିବେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ଇତିହାସ ରଚି ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଋଷି ସୁନକ ହାଉସ ଅଫ କମନ୍ସର ଲିଡର ପେନୀ ମରଡୋଣ୍ଟଙ୍କୁ ମାତ୍ ଦେଇ ନିର୍ବାଚନ ଜିତିଛନ୍ତି । ଋଷି ସୁନକଙ୍କୁ ମିଳିଛି ଅଧାରୁ ଅଧିକ ସାଂସଦଙ୍କ ସମର୍ଥନ ।

ଗୃହ ସଚିବ ଗ୍ରାଣ୍ଟ ଶାପ୍ସ, ଅନ୍ତର୍ଜାତୀୟ ବାଣିଜ୍ୟ ସଚିବ କେମି ବାଡେନୋଚ୍ ଏବଂ ପୂର୍ବତନ ଗୃହ ସଚିବ ସୁଏଲା ବ୍ରାଭରମ୍ୟାନ ମଧ୍ୟ ସୁନକଙ୍କ ପ୍ରତି ସମର୍ଥନ ଘୋଷଣା କରିଛନ୍ତି । ଋଷିଙ୍କ ଏକମାତ୍ର ପ୍ରତିଦ୍ବନ୍ଦ୍ବୀ ତଥା ହାଉସ ଅଫ କମନ୍ସର ସାଂସଦ ପେନ୍ନି ମରଡୋଣ୍ଟ ରେସରୁ ଆଉଟ ହୋଇଯାଇଛନ୍ତି । ଶହେ ସାଂସଦଙ୍କ ସମର୍ଥନ ନମିଳିବାରୁ ସେ ସେ ପ୍ରଧାନମନ୍ତ୍ରୀ ଦୌଡ଼ରୁ ଓହରିଯାଇଛନ୍ତି । ଏହାପରେ କଞ୍ଜରଭେଟିବ ଦଳର ସାଂସଦମାନେ ସୁନକଙ୍କୁ ନେତା ଭାବେ ଚୟନ କରିଛନ୍ତି ।

ପ୍ରଥମ ଭାରତୀୟ ବଂଶୋଦ୍ଭବ ଏବଂ ଅଶ୍ୱେତ ଭାବେ ସେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ସେପଟେ ଶହେ ସାଂସଦଙ୍କ ସମର୍ଥନ ଥାଇ ବି ରେସରେ ସାମିଲ ନ ହେବାକୁ ସରପ୍ରାଇଜ ଘୋଷଣା କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଦଳ ଭିତରେ ଏକତା ନରହିଲେ ପ୍ରଭାବିତ ଢଙ୍ଗରେ ସରକାର ଚଳାଇ ହେବ ନାହିଁ । ତେଣୁ ଯିଏ ଜିତିବ ତାକୁ ସମର୍ଥନ ଦେବେ ବେଲି ଜନସନ କହିଥିଲେ ।

ସୂଚନାନୁଯାୟୀ, ଋଷି ସୁନକ ୨୮ ଅକ୍ଟୋବରରେ ଶପଥ ନେଇପାରନ୍ତି । ୨୯ରେ ବ୍ରିଟିସ କ୍ୟାବିନେଟର ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବ । ସୂଚନାଥାଉକି ୪୫ ଦିନ ପର୍ଯ୍ୟନ୍ତ ବ୍ରିଟେନର ପ୍ରଧାନମନ୍ତ୍ରୀ ରହିଥିବା ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ପୁଣିଥରେ ନିର୍ବାଚନ କରାଯାଇଥିଲା । ଏଥିରେ ଋଷି ମଜବୁତ ପ୍ରାର୍ଥୀ ଜଣାଯାଉଥିଲେ ।  ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଧ୍ୟ ପ୍ରଧାନମନ୍ତ୍ରୀ ଦୌଡର ନିଜକୁ ଅଲଗା କରିଦେଇଥିଲେ । ଯାହାପରେ ସ୍ପଷ୍ଟ ହୋଇଯାଇଥିଲା ଯେ ଋଷି ହିଁ ଆଗାମୀ ପ୍ରଧାନମନ୍ତ୍ରୀ ହେବେ ।

ସୁନକଙ୍କ ବିଜୟର ଏକ ବଡ଼ କାରଣ ହେଉଛି ତାଙ୍କର ବ୍ୟାଙ୍କର ଛବି । ପ୍ରଧାନମନ୍ତ୍ରୀ ଭାବେ ଲିଜ୍ ଟ୍ରସ୍ ବିଫଳ ହେବାର ସବୁଠୁ ବଡ଼ କାରଣ ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳ ନଆଣିପାରିବା । ବ୍ରିଟେନରେ ଦରଦାମ ବୃଦ୍ଧି ବଡ଼ ପ୍ରସଙ୍ଗ ରହିଥିଲା । ବ୍ରିଟେନରେ ଆର୍ଥିକ ଅସ୍ଥିରତା ମଧ୍ୟ ରହିଥିଲା, ଯାହାପରେ ଜନସନ ସରକାରରେ ଅର୍ଥ ମନ୍ତ୍ରୀ ରହିଥିବା ଋଷି ସୁନକ ଇକୋନମିକ ବେଲ୍ ଆଉଟ୍ ପ୍ଲାନ ଆଣିଥିଲେ । ଏହାପରେ ଲୋକମାନଙ୍କ ମଧ୍ୟରେ ତାଙ୍କ ଲୋକପ୍ରିୟତା ବଢ଼ିଯାଇଥିଲା ।