ଅଶାନ୍ତ କାଶ୍ମୀର: ଯବାନଙ୍କ ସହ ଲୁଚକାଳି ଖେଳୁଛନ୍ତି ଆତଙ୍କବାଦୀ

ଶ୍ରୀନଗର: ଦିନକୁ ଦିନ ବିଗୁଡ଼ୁଛି ଜମ୍ମୁ ଓ କାଶ୍ମୀରର ସ୍ଥିତି । ସାଧାରଣ ଜନତା ହୁଅନ୍ତୁ ଅବା ସୁରକ୍ଷା କର୍ମୀ, ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଆତଙ୍କୀ ଆକ୍ରମଣ । ଏପଟେ ଘାଟିରୁ ଆତଙ୍କୀ ନିପାତ ପାଇଁ ଭାରତୀୟ ସେନା ‘ଅପରେସନ ଅଲ୍ ଆଉଟ୍’କୁ ଜୋରଦାର କରିଛି । ହେଲେ ସ୍ଥିତି ଏମିତି, ଏକାଧିକ ସ୍ଥାନରେ ଯବାନ ଘେରାବନ୍ଦୀ କରିଥିଲେ ବି ଆତଙ୍କୀଙ୍କ ଟେର୍ ପାଉନାହାନ୍ତି ।

ମେନ୍ଧାର, ଥାନାମଣ୍ଡି ଅଞ୍ଚଳକୁ ସମ୍ପୂର୍ଣ୍ଣ କର୍ଡନ ମଧ୍ୟରେ ରଖାଯାଇଥିବା ବେଳେ ପୁଞ୍ଚ ଓ ରାଜୌରି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି । ଏବେ ବି ଅନେକ ସ୍ଥାନରେ ଆତଙ୍କବାଦୀ ଲୁଚି ରହିଛନ୍ତି । ଏସବୁ ସ୍ଥାନରେ ତଲାସି ଜାରି ରହିଛି । ମେନ୍ଧାରର ଘଞ୍ଚ ଜଙ୍ଗଲରୁ ରହି ରହି ଆତଙ୍କୀ ଗୁଳିମାଡ଼ କରୁଥିବାରୁ ସେମାନଙ୍କୁ ଠାବ କରିବା କଷ୍ଟକର ହେଉଛି ।

ଏହାବାଦ ଯବାନଙ୍କୁ ଚକମା ଦେବାକୁ ଆତଙ୍କବାଦୀମାନେ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । କୌଣସି ସ୍ଥାନରେ ବେଶି ସମୟ ନରହି ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଛନ୍ତି । ଯାହା ସର୍ଚ୍ଚ ଅପରେସନ୍ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛି ।

ନାର୍ ଖାସ୍ ଜଙ୍ଗଲରେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ରାଇଫଲମ୍ୟାନ୍ ବିକ୍ରମ ସିଂ ନେଗି ଓ ଯବାନ ଯୋଗାମ୍ବର ସିଂଙ୍କ ମୃତଦେହ ଠାବ କରାଯାଇ ଉତ୍ତରାଖଣ୍ଡ ଡେରାଡୁନକୁ ଅଣାଯାଇଛି ।

ପୂର୍ବରୁ ପୁଞ୍ଚର ସୁରଣକୋଟ ଜଙ୍ଗଲରେ ଜଣେ ଜେସିଓ ଓ ୫ ଯବାନ ସହିଦ ହୋଇଥିଲେ । ସେପଟେ ଶ୍ରୀନଗର ଓ ପୁଲଓ୍ବାମାରେ ଆତଙ୍କବାଦୀ ପୁଣି କରିଛନ୍ତି ରକ୍ତପାତ । ଜଣେ ଉଠା ଦୋକାନୀ ଓ ଜଣେ ମିସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ବିଶେଷ କରି ବାହାର ରାଜ୍ୟର ଶ୍ରମିକ ଓ ସେଠାରେ ରହି ବ୍ୟବସାୟ କରୁଥିବା ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କୀ ।

Leave a Reply