ବାୟୁସେନାର ଲଢୁଆ ହେଲିକପ୍ଟରର ଜରୁରୀକାଳୀନ ଅବତରଣ,ସମସ୍ତ ଯାତ୍ରୀ ସୁରକ୍ଷିତ

1 min read

 

ହନୁମାନଗଢ଼ : ଭାରତୀୟ ବାୟୁସେନାର ଏକ ଲଢୁଆ ହେଲିକପ୍ଟର ଏମଆଇ-୩୫ ମଙ୍ଗଳବାର ଦିନ ରାଜସ୍ଥାନର ହନୁମାନଗଢ଼ ଜିଲ୍ଲାରେ ଜରୁରୀକାଳୀନ ଅବତରଣ କରିଛି । ଟେକ୍ନିକାଲ ତୃଟି କାରଣରୁ ପାଇଲଟ୍ ହେଲିକପ୍ଟରକୁ ଜରୁରୀକାଳୀନ ଭାବେ ଅବତରଣ କରାଇଥିଲେ । ତେବେ ହେଲିକପ୍ଟରରେ ଥିବା ଦୁଇ ଜଣ ପାଇଲଟ୍ ଓ ଜଣେ ଫ୍ଲାଇଟ୍ ଇଂଜିନିୟର ସୁରକ୍ଷିତ ଅଛନ୍ତି । ଘୋଲିପାଲ-କିକରଖାଲି  ଗାଁ’ର ବିଲରେ ହେଲିକପ୍ଟରଟି ଅବରତରଣ କରିଥିଲା । ହେଲିକପ୍ଟର ଅବତରଣ ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ହଜାର ହଜାର ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ । ସକାଳ ପ୍ରାୟ ୯ୟ୩୦ ମିନଟରେ ହେଲିକପ୍ଟର ଲ୍ୟାଣ୍ଡିଂ କରିଥିବା ଜଣା ପଡି଼ଛି ।

ସଦର ଥାନା ଅଧିକାରୀ ଲଖବୀର ଗିଲଙ୍କ ଅନୁସାରେ ହେଲିକପ୍ଟରରେ ୫ ଜଣ ସବାର ଥିଲେ । ଦୁଇ ପାଇଲଟ୍ ଓ ଜଣେ ଫ୍ଲାଇଟ ଇଂଜିନିୟରଙ୍କ ସହିତ ସମସ୍ତେ ସୁରକ୍ଷିତ ଥିବା ସେ କହିଛନ୍ତି । ହେଲିକପ୍ଟରର ସୁରକ୍ଷା ପାଇଁ ଦୁଇଟି ଥାନାର ପୋଲିସକୁ ନିୟୋଜିତ କରାଯାଇଛି ।

ସୋସିଆଲ ମିଡିଆରେ ଗୁଜବ

ହେଲିକପ୍ଟରର ଏମରଜେନ୍ସି ଲ୍ୟାଣ୍ଡିଂ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସୋସିଆଲ ମିଡିଆରେ ହେଲିକପ୍ଟର କ୍ରାସ କରିଥିବା ଗୁଜବ ପ୍ରଚାରିତ ହୋଇଥିଲା । ଏହାପରେ ସଂଗରିଆ ଓ ସଦର ଥାନା ପୋଲିସ ଘଟଣାସ୍ଥଳରେ ତୁରନ୍ତ ପହଂଚିଥିଲେ ।  ଘଟଣାସ୍ଥଳରେ ପହଂଚି ପୋଲିସ ଗୁଜବର ଖଣ୍ଡନ କରିଥିଲା । ହେଲିକପ୍ଟରରେ ସବାର ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ, ଉତ୍ତର ରାଜସ୍ଥାନରେ ସେନାର ଅନେକ ବଡ଼ ଷ୍ଟେଶନ ରହିଛି ।