ଏସିଆ କପ୍: ଆଜି କର ବା ମର ମୁକାବିଲାରେ ମୁହାଁମୁହିଁ ହେବ ଭାରତ-ଶ୍ରୀଲଙ୍କା

1 min read

ଦୁବାଇ: ଆଜି ଏସିଆ କପ ସୁପର-୪ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା । ସୁପର ୪ର ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରୁ ପରାଜୟ ବରଣ କରିବା ପରେ ଆଜିର ମ୍ୟାଚ ଭାରତ ପାଇଁ କର ବା ମର ସ୍ଥିତିକୁ ଚାଲିଆସିଛି । ଏସିଆ କପର ଫାଇନାଲ ଟିକେଟକୁ ହାସଲ କରିବାକୁ ହେଲେ ଭାରତକୁ ପରବର୍ତ୍ତୀ ଦୁଇଟି ମ୍ୟାଚରେ ବିଜୟ ଲାଭ କରିବାକୁ ପଡ଼ିବ । ତେବେ ଆଜିର ମ୍ୟାଚରେ ଭାରତ ବୋଲିଂ ଲାଇନ ଅଫକୁ ସଜାଡିବାକୁ ଚେଷ୍ଟା କରିବ । ଅନ୍ୟପକ୍ଷରେ ଆଜିର ମ୍ୟାଚରେ ଦଳରେ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିପାରେ । ସେହିପରି ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ଓ ଋଷଭ ପନ୍ତଙ୍କୁ ବିତର୍କ ଜାରି ରହିଛି । ଆଜିର ମ୍ୟାଚରେ ଋଷଭଙ୍କ ସ୍ଥାନରେ ପୁଣି ଥରେ କାର୍ତ୍ତିକଙ୍କୁ ସ୍ଥାନ ମିଳିପାରେ ।

ଅନ୍ୟପକ୍ଷରେ ଶ୍ରୀଲଙ୍କା କଥା ଯଦି କହିବା ତାହାଲେ ପ୍ରଥମ ଲିଗ ମ୍ୟାଚରେ ଆଫଗାନିସ୍ତାନଠାରୁ ପରାଜିତ ହେବା ପରେ ଶ୍ରୀଲଙ୍କା ବିଜୟ ଧାରାକୁ ଫେରିଥିଲା । ସୁପର-୪ର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା । ଲଗାତର ଦୁଇଟି ମ୍ୟାଚରେ ବିଜୟ ଲାଭ କରି ଶ୍ରୀଲଙ୍କାର ମନୋବଳ ଦୃଢ଼ ରହିଛି । ସୁପର-୪ରେ ପ୍ରଥମ ମ୍ୟାଚରେ ବିଜୟ ପରେ ଆଜିର ମ୍ୟାଚରେ ଭାରତକୁ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ଶ୍ରୀଲଙ୍କା ।