ବିରାଟଙ୍କ ପାଇଁ ବଡ଼ ଆହ୍ବାନ

1 min read

ଦୁବାଇ: ସୁପର ସଣ୍ଡେରେ ସୁପର ମୁକାବିଲା । ଚଳିତ ଟି-୨୦ ବିଶ୍ବକପରେ ଆଜି ଭାରତ ତା’ର ଦ୍ବିତୀୟ ମ୍ୟାଚ ଖେଳିବାକୁ ଯାଉଛି ।  ଦ୍ବିତୀୟ ମ୍ୟାଚରେ ଆଜି ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଭେଟିବ । କର ବା ମର ସ୍ଥିତିରେ ଉଭୟ ଦଳ । କାହିଁକି ନା ଉଭୟ ଦଳ ସେମାନଙ୍କ ପ୍ରଥମ ମ୍ୟାଚ ପାକିସ୍ତାନଠାରୁ ପରାଜିତ  ହୋଇଛନ୍ତି । ଏପରି ସ୍ଥିତିରେ ସେମିଫାଇନାଲ ରେସରେ ରହିବାକୁ ହେଲେ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ । ତେବେ ଏହି ହାଇଭୋଲଟେଜ୍ ଟକ୍କର ଉପରେ ରହିଛି କ୍ରୀଡାପ୍ରେମୀଙ୍କ ନଜର ।

ଅନ୍ୟପକ୍ଷରେ ଆଇସିସି ପ୍ରତିଯୋଗିତାରେ ନ୍ୟୁଜିଲାଣ୍ଡ ଭାରତ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି । ୨୦୦୩ ଦିନିକିଆ ବିଶ୍ବକପ ପରଠାରୁ ଭାରତ କୌଣସି ଆଇସିସି ପ୍ରତିଯୋଗିତାରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିନାହିଁ । ୨୦୧୯ ଦିନିକିଆ ବିଶ୍ବକପ ସେମିଫାଇନାଲ ଏବଂ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରେ ଭାରତକୁ ମାତ୍ ଦେଇଛି ନ୍ୟୁଜିଲାଣ୍ଡ । ଯଦି ଆମେ ଟି-୨୦ କଥା କହିବା ତାହାଲେ ଟି-୨୦ରେ ବି ନ୍ୟୁଜିଲାଣ୍ଡ ଭାରତ ଆଗରେ ରହିଛି ।  ଉଭୟ ଦଳ ଏଯାବତ ୧୮ଟି ମ୍ୟାଚରେ ମୁହାଁମୁହିଁ ହୋଇଥିବାବେଳେ ସେଥିରୁ ୮ ମ୍ୟାଚ ନ୍ୟୁଜିଲାଣ୍ଡ ଜିତିଥିବା ବେଳେ ୬ଟି ମ୍ୟାଚ ଜିତିଛି ଭାରତ ।

ତେବେ ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଲଜ୍ଜାଜନକ ପରାଜୟ ପରେ କମବ୍ୟାକ ଲକ୍ଷ୍ୟରେ ବିରାଟ ବାହିନୀ । ପ୍ରଥମ ମ୍ୟାଚରେ ହୋଇଥିବା ତ୍ରୁଟିକୁ ଏହି ମ୍ୟାଚରେ ସୁଧାରିବ ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ଭାରତକୁ ଜିତିବାକୁ ହେଲେ ସମସ୍ତ କ୍ଷେତ୍ରରେ ଦମଦାର ପ୍ରଦର୍ଶନ କରିବାକୁ ପଡ଼ିବ । ଅନ୍ୟପଟେ ଚୁଡାନ୍ତ ଏକାଦଶ କଥା ଯଦି କହିବା ତାହାଲେ ଭାରତ ତା’ର ପ୍ଲେଇଂ ଇଲେଭେନରେ କୌଣସି ପରିବର୍ତ୍ତନ କରିବ ନାହିଁ ବୋଲି ଆଶା କରାଯାଉଛି । କାହିଁକି ନା ପାକିସ୍ତାନ ବିପକ୍ଷରେ ଆହାତ ହୋଇଥିବା ଷ୍ଟାର ଅଲରାଉଣ୍ଡର  ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି । ନେଟ୍ସରେ ଦମଦାର ବୋଲିଂ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେଣୁ ସେ ଏହି ମ୍ୟାଚରେ ଚୁଡାନ୍ତ ଏକାଦଶରେ ମଧ୍ୟ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି ।

Leave a Reply