ଆଜିଠୁ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଆରମ୍ଭ, ମୁହାଁମୁହିଁ ଭାରତ-ଅଷ୍ଟ୍ରେଲିଆ

1 min read

ନୂଆଦିଲ୍ଲୀ: ବିଶ୍ବକପ ପୂର୍ବରୁ ଭାରତର ଅଷ୍ଟ୍ରେଲିଆ ପରୀକ୍ଷା । ଆଜିଠୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜ । ଆଜି ଦିନ ସାଢେ ଗୋଟାଏରେ ମୋହାଲିରେ ହେବ ପ୍ରଥମ ଦିନିକିଆ ଟକ୍କର । ସିରିଜର ପ୍ରଥମ ଦୁଇଟି ଦିନିକିଆ ପାଇଁ ରୋହିତ, କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି ।

ରୋହିତଙ୍କ ବଦଳରେ କେ.ଏଲ ରାହୁଲ ଅଧିନାୟକ ଦାୟିତ୍ବ ତୁଲାଇବେ । ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ରେକର୍ଡ ସେତେଟା ଭଲ ନାହିଁ । ମୋହାଲିରେ ଦିନିକିଆ ଫର୍ମାଟରେ କେବେ ବି କଙ୍ଗାରୁ ଟିମକୁ ପରାସ୍ତ କରିପାରିନି ଟିମ୍ ଇଣ୍ଡିଆ । ଭାରତ-ଅଷ୍ଟ୍ରେଲିଆ ଏଯାଏଁ ଦିନିକିଆରେ ମୋଟ ୧୪୬ ଥର ମୁହାଁମୁହିଁ ହୋଇଛନ୍ତି । ଭାରତ ୫୪ ଥର ବିଜୟ ଲାଭ କରିଥିବାବେଳେ ଅଷ୍ଟ୍ରେଲିଆ ୮୨ ଥର ମ୍ୟାଚ୍ ଜିତିଛି । ଏଥର ରେକର୍ଡ ଭାଙ୍ଗି ଭାରତ ନିଜ ମାଟିରେ ଅଷ୍ଟ୍ରେଲିଆକୁ ହରାଇବାକୁ ଲକ୍ଷ୍ୟ ରଖିଛି।

ପ୍ରଥମ ଦୁଇଟି ମ୍ୟାଚରେ କେଏଲ ରାହୁଲଙ୍କ ସହିତ ରବିନ୍ଦ୍ର ଜାଡେଜା, ଋତୁରାଜ ଗାଏକ୍ବାଡ, ଶୁବମନ ଗିଲ୍, ଶ୍ରେୟସ ଆୟାର, ସୂର୍ଯ୍ୟକୁମାର ଯାଦବ ପ୍ରମୁଖ ସ୍ଥାନ ପାଇଛନ୍ତି । ସେହିପରି ଶେଷ ଦିନିକିଆକୁ ରୋହିତ, ବିରାଟ ଓ ପାଣ୍ଡ୍ୟା ଫେରୁଛନ୍ତି ।