ଭାରତ-ନ୍ୟୁଜିଲାଣ୍ଡ ଶେଷ ଦିନିକିଆ: ୩୮୫ରନର ବିଶାଳ ସ୍କୋର କଲା ରୋହିତ ବାହିନୀ

1 min read

ଇନ୍ଦୋର: ଇନ୍ଦୋର ସ୍ଥିତ ହୋଲ୍କାର କ୍ରିକେଟ ଷ୍ଟାଡିୟମରେ ଭାରତ-ନ୍ୟୁଜିଲାଣ୍ଡ ଶେଷ ଦିନିକିଆ ମ୍ୟାଚ୍ ଚାଲିଛି । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ବିନିମୟରେ ୩୮୫ ରନର ବିଶାଳ ସ୍କୋର କରିଛି । ରୋହିତ ଶର୍ମା ଓ ଶୁଭମନ ଗିଲ୍ ଶତକୀୟ ପାରି ଖେଳିଛନ୍ତି । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଅର୍ଦ୍ଧଶତକ କରିଛନ୍ତି । ଟସ୍ ଜିତି ନ୍ୟୁଜିଲାଣ୍ଡ ବୋଲିଂ ନିଷ୍ପତ୍ତି ନେଇଥିଲା । ଆହ୍ୱାନକ୍ରମେ ଟିମ୍ ଭାରତ ବ୍ୟାଟିଂ କରିଥିଲା । ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍ ପଡ଼ିଆକୁ ଓହ୍ଲାଇଥିଲେ । ଏହି ଦୁଇ ପ୍ରାରମ୍ଭିକ ଯୋଡ଼ି ଦମଦାର ପ୍ରଦର୍ଶନ କରିଥିଲେ ।

ଦୁଇ ଓପନ ଶତକୀୟ ଇନିଂସ ଖେଳିଥିଲେ । ଦଳୀୟ ସ୍କୋର ୨୧୨ ଥିବା ବେଳେ ଭାରତକୁ ପ୍ରଥମ ଝଟକା ଲାଗିଥିଲା । ରୋହିତ ଶର୍ମା ୧୦୧ ରନ କରି ପାଭେଲିଅନ୍ ଫେରିଯାଇଥିଲେ । ସେହିପରି ଶୁଭମନ ଗିଲ୍ ୧୧୨ ରନ୍ କରି ଆଉଟ୍ ହୋଇଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିରାଟ କୋହଲି ୩୬ ରନ୍ କରିଥିଲେ, ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତତମ ୫୪ ରନ୍ ଓ ଶ୍ରାଦ୍ଧୁଳ ଠାକୁର ୨୫ ରନ୍ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଜାକୋବ ଡଫି ଏବଂ ବ୍ଲେୟାର ଟିକ୍ନର ତିନୋଟି ଲେଖାଏଁ ୱିକେଟ୍ ଅକ୍ତାଆର କରିଥିବା ବେଳେ ମାଇକେଲ ବ୍ରେସୱେଲ୍ ଗୋଟିଏ ୱିକେଟ୍ ହାସଲ କରିଥିଲେ ।

ନ୍ୟୁଜିଲାଣ୍ଡକୁ ଏବେ ଜିତିବାକୁ ହେଲେ ନିର୍ଦ୍ଧାରିତ ୫୦ ଓଭରରେ ୩୮୬ ରନ୍ ସଂଗ୍ରହ କରିବାକୁ ପଡ଼ିବ । ସୂଚନାଥାଉକି ଆଜିର ଏହି ଶେଷ ଦିନିକିଆ ମ୍ୟାଚ୍ ନିଜର ସମ୍ମାନ ରକ୍ଷା କରିବା ପାଇଁ ଖେଳୁଛି ଭ୍ରମଣକାରୀ ନ୍ୟୁଜିଲାଣ୍ଡ । ପୂର୍ବ ଦୁଇଟି ଦିନିକିଆ ମ୍ୟାଚରେ ଭାରତ ବିଜୟୀ ହୋଇଥିଲା । ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି । ଯଦି ଭାରତ ଆଜିର ମ୍ୟାଚ୍ ଜିତୁଛି ତେବେ ସିରିଜ୍ କ୍ଲିନ ସ୍ୱିପ୍ କରିବ । ଏହା ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଭାରତ ୩-୦ରେ କ୍ଲିନ ସ୍ୱିପ୍ କରିଥିଲା । ଆଗକୁ ଯେହେତୁ ଦିନିକିଆ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ରହିଛି ଭାରତକୁ ଶକ୍ତିଶାଳୀ ହେବାର ଆବଶ୍ୟକତା ଅଛି ।