ମାଳଦ୍ବୀପର ମନ୍ତ୍ରୀ ମରିୟନ ସିଉନା ଭାରତକୁ ନେଇ ଦେଇଥିବା ଅପମାନଜନକ ମନ୍ତବ୍ୟ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ!

ନନ୍ଦିଘୋଷ ବ୍ୟରୋ: ମାଳଦ୍ବୀପର ମନ୍ତ୍ରୀ ମରିୟନ ସିଉନା ଭାରତ ଏବଂ ପ୍ରଧାନମନ୍ତ୍ରୀଙ୍କୁ ନେଇ କରିଥିବା ବିବାଦୀୟ ଟ୍ବିଟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ମରିୟନ ସିଉନାଙ୍କ ଅପମାନଜନକ ଟ୍ବିଟ ପାଇଁ ମାଳଦ୍ବୀପ ସରକାରଙ୍କ ନିକଟରେ ଆନୁଷ୍ଠାନିକ ଭାବେ ଭାରତ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି । ମାଳଦ୍ୱୀପର ଯୁବ ସଶକ୍ତିକରଣ, ସୂଚନା ଓ କଳା ମନ୍ତ୍ରଣାଳୟରେ ଉପମନ୍ତ୍ରୀ ତଥା ମାଲେସିଟି କାଉନସିଲର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିବା ସିଉନା ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ପରେ ଏହି ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଯଦିଓ ସିଉନା ତାଙ୍କ ଟୁଇଟ୍ ଡିଲିଟ୍ କରିଛନ୍ତି, କିନ୍ତୁ ଏହି ଘଟଣା ଦୁଇ ପଡ଼ୋଶୀ ଦେଶ ମଧ୍ୟରେ କୂଟନୈତିକ ବିବାଦ ସୃଷ୍ଟି କରିଛି । ଏହାକୁ ନେଇ ଏବେ ଆନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ମଧ୍ୟ ହେଉଛି । ଏଣୁ ସିଉନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି ହେଉଛି । ମାଳଦ୍ବୀପ ସୁଧାର ଆନ୍ଦାଳନର ଅଧ୍ୟକ୍ଷ ଫାରିସ ସରକାରଙ୍କୁ ଆବେଦନ କରିଛନ୍ତି କି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ।

ମାଳଦ୍ବୀପ ସରକାର କହିଛନ୍ତି କି, ସେ ସିଉନାଙ୍କ ଟ୍ବିଟ ସମ୍ପର୍କରେ ଅବଗତ ଅଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରିବା ତାଙ୍କ ବ୍ୟକ୍ତିଗତ ବ୍ୟାପାର । ଏହା ମାଳଦ୍ବୀପ ସରକାରଙ୍କ ମତାମତକୁ ପ୍ରତିନିଧିତ୍ବ କରେ ନାହିଁ । ସରକାର ବିଶ୍ୱାସ କରନ୍ତି ଯେ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଗଣତାନ୍ତ୍ରିକ ଏବଂ ଦାୟିତ୍ବପୂର୍ଣ୍ଣ ଭାବରେ ବ୍ୟବହାର କରାଯିବା ଉଚିତ ଏବଂ ଏପରି ଭାବରେ ବ୍ୟବହାର କରାଯିବା ଉଚିତ ଯାହା ମାଳଦ୍ୱୀପ ଏବଂ ଏହାର ଅନ୍ତର୍ଜାତୀୟ ସହଯୋଗୀମାନଙ୍କ ମଧ୍ୟରେ ଘୃଣା, ନକାରାତ୍ମକତା ପ୍ରସାର କରିବ ନାହିଁ କିମ୍ବା ଘନିଷ୍ଠ ସମ୍ପର୍କରେ ବାଧା ସୃଷ୍ଟି କରିବ ନାହିଁ।