ଦିନିକିଆ ବିଶ୍ୱକପ: ଅକ୍ଟୋବର ୧୫ରେ ଖେଳାଯିବନି ଭାରତ-ପାକ୍ ମ୍ୟାଚ୍ !

1 min read

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ବଦଳିବ ଭାରତ କ୍ରୀଡାସୂଚୀ । ବଦଳିବ ଭାରତ-ପାକିସ୍ତାନ ମ୍ୟାଚ ସୂଚୀ । ସୁରକ୍ଷା ଦଷ୍ଟିରୁ ଏହି ହାଇଭୋଲଟେଜ ମ୍ୟାଚ୍ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍ । ଦିନିକିଆ ବିଶ୍ୱକପରେ ଅକ୍ଟୋବର ୧୫ରେ ମୁହାଁମୁହିଁ ହୋଇଥାନ୍ତେ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାର ଅଛି ଏହି ମହାମୁକାବିଲା । ଏହି ହାଇଭୋଲଟେଜ ମ୍ୟାଚ ପାଇଁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅକ୍ଟୋବର ୧୫ରେ ଖେଳାଯିବନି ଭାରତ-ପାକ୍ ମ୍ୟାଚ୍ । ଏହି ନିର୍ଦ୍ଧାରିତ କ୍ରୀଡାସୂଚୀର ଦିନକ ପୂର୍ବରୁ ଆୟୋଜନ କରିବାକୁ ବିସିସିଆଇ ଯୋଜନା କରୁଛି । ଅକ୍ଟୋବର ୧୫ରୁ ନବରାତ୍ରୀ ଆରମ୍ଭ ହେଉଛି । ନବରାତ୍ରୀରେ ଅହମ୍ମଦାବାଦରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏକା ସାଙ୍ଗରେ ଦୁଇଟି ବନ ବନ କାର୍ଯ୍ୟକ୍ରମକୁ ସୁରକ୍ଷା ପ୍ରଦାନ କରିବାକୁ ଅହମ୍ମଦାବାଦ ପୋଲିସ ପକ୍ଷେ କଷ୍ଟକର ହୋଇପଡ଼ିବ । ତେଣୁ ଭାରତ-ପାକିସ୍ତାନ ମ୍ୟାଚର ତାରିଖ ପରିବର୍ତ୍ତନ କରିବାକୁ ବିସିସିଆଇକୁ ପରାମର୍ଶ ଦେଇଛି ଗୁଜରାଟ ପୋଲିସ । ଅକ୍ଟୋବର ୧୫ ପରିବର୍ତ୍ତେ ଅକ୍ଟୋବର ୧୪ରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଆୟୋଜନ କରିବାକୁ ଯୋଜନା କରୁଛି ବିସିସିଆଇ ।

ଏହି ବିଷୟରେ ଆଇସିସିକୁ ଲିଖିତ ଭାବରେ ଜଣାଇ ଦେଇଛି ବିସିସିଆଇ । କିନ୍ତୁ ଆଇସିସି ଏ ପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନେଇ ନାହିଁ । ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ବିସିସିଆଇ ସମସ୍ତ କ୍ରିକେଟ୍ ବୋର୍ଡ ସହ ବୈଠକ କରିବ । ତେବେ ଅକ୍ଟୋବର ୧୪ରେ ପାକିସ୍ତାନ ମ୍ୟାଚ୍ ଖେଳିବାକୁ ରାଜି ହେବ କି ନାହିଁ ତାକୁ ନେଇ ଏବେ ବଡ଼ ପ୍ରଶ୍ନ ।