ଭାରତ-ପାକିସ୍ତାନ ମ୍ୟାଚର ହାଇ ଭୋଲଟେଜ୍ ଡ୍ରାମା: ମିଆଁଦାଦଙ୍କ ବେଙ୍ଗ ଡିଆଁ, ଗମ୍ଭୀର ରାଗି ପଞ୍ଚମ

1 min read

ଭୁବନେଶ୍ବର: ଟି-ଟ୍ବଣ୍ଟି ବିଶ୍ବକପରେ ଭାରତ ୨୪ ତାରିଖରୁ ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚ୍ ରହିଛି ପ୍ରାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହ । ଯାହା ଉପରେ କ୍ରିକେଟକୁ ପସନ୍ଦ କରୁଥିବା ସବୁ ଦେଶର ନଜର । କାରଣ ଭାରତ-ପାକିସ୍ତାନ ଯେତେବେଳେ ପଡ଼ିଆରେ ମୁହାଁମୁହିଁ ହୋଇଥାନ୍ତି ଏହା ଏକ ପ୍ରକାର ଯୁଦ୍ଧରେ ପରିଣତ ହୋଇଯାଇଥାଏ । ଖେଳ କଥା ଛାଡ଼ନ୍ତୁ, ମ୍ୟାଚରେ ଏମିତି ବି କିଛି ଦେଖିବାକୁ ମିଳିଥାଏ, ଯାହା ଦର୍ଶକ କେବେ ଚିନ୍ତା ବି କରିନଥାନ୍ତି । ସେ ଜାଭେଦ ମିଆଁଦାଦଙ୍କ ବେଙ୍ଗ ଡିଆଁ ହେଉ କି ସୋହେଲଙ୍କ ବ୍ୟାଟର ଇସାରା । ଅଖତର ଭଜିଙ୍କୁ ମାରିବାକୁ ହୋଟେଲରେ ପହଞ୍ଚି ଯିବା ହେଉ କି ଗମ୍ଭୀରଙ୍କ ରାଗ ଦର୍ଶକ ସବୁ ବେଳେ ମନେ ରଖିବେ ।

ଆସନ୍ତୁ ଜାଣିବା ଭାରତ-ପାକିସ୍ତାନ ମ୍ୟାଚର ଏମିତି କିଛି ହାଇ ଭୋଲଟେଜ୍ ଡ୍ରାମ ବିଷୟରେ ।

ମୋରେ-ମିଆଁଦାଦ

୧୯୯୨ ବିଶ୍ବକପର ଭାରତ-ପାକିସ୍ତାନ ମ୍ୟାଚ୍ ଦର୍ଶକ କେବେ ଭୁଲିବେ ନାହିଁ । କାରଣ ମ୍ୟାଚକୁ ଯେତିକି ଚର୍ଚ୍ଚା ହୋଇ ନଥିଲା ଜାଭେଦ ମିଆଁଦାଙ୍କ ବେଙ୍ଗ ଡିଆଁ ସେତିକି ହାଇଲାଇଟ୍ ହୋଇଥିଲା । ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନକୁ ୨୧୭ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଅମିର ସୋହେଲଙ୍କ ସହ ମିଶି ମିଆଁଦାଦ ପାକିସ୍ତାନର ସ୍କୋର ୨ ଓ୍ବିକେଟରେ ୧୦୦କୁ ନେଇଯାଇଥିଲେ । ଏହାପରେ ପାକିସ୍ତାନର ଗୋଟିଏ ପରେ ଗୋଟିଏ ଓ୍ବିକେଟ ପଡ଼ିବାକୁ ଲାଗିଥିଲା । ଓ୍ବିକେଟକିପର୍ କିରଣ ମୋରେ ବାରମ୍ବାର ଅପିଲ୍ କରୁଥିଲେ । ଏଥିରେ ରାଗି ପଞ୍ଚିମ ହୋଇ ଯାଇଥିଲେ ମିଆଁଦାଦ । ଏହି ସମୟରେ ଏକ ସର୍ଟ ଲଗାଇ ରନ୍ ନେବା ବେଳେ ଫିଲ୍ଡ ଥ୍ରୋରୁ ମୋରେ ଷ୍ଟମର ବେଲ୍ ଭାଙ୍ଗି ଦେଇଥିଲେ । ଏଥିରେ ରାଗି ମିଆଁଦାଦ ମୋରେଙ୍କ ଆଗରେ ବେଙ୍ଗ ଭଳି ଡେଇଁବାକୁ ଲାଗିଥିଲେ । ଏହାର କିଛି ସମୟ ପରେ ମିଆଁଦାଦ ଯେତେବେଳେ ଆଉଟ୍ ହୋଇଥିଲେ ମୋରେ ତାଙ୍କୁ ଚିଡ଼ାଇ ଠିକ୍ ସେହି ଭଳି ବେଙ୍ଗ ଡିଆଁ ମାରିଥିଲେ ।

ପ୍ରସାଦ-ସୋହେଲ

୧୯୯୬ ବିଶ୍ବକପରେ ଭାରତ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନକୁ ୨୮୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ୧୫ତମ ଓଭରରେ ଭେଙ୍କଟେଶ ପ୍ରସାଦଙ୍କ ଏକ ବଲକୁ ଅମିର ସୋହେଲ ଅଫ୍ ସାଇଡରେ ଚୌକା ମାରିଥିଲେ । ଏହାପରେ ସେ ପ୍ରସାଦଙ୍କୁ ବ୍ୟାଟ୍ ଦେଖାଇ ପରବର୍ତ୍ତି ବଲକୁ ବି ଭ୍ୟାବିଲିୟନ ବାହାରକୁ ପଠାଇବାକୁ ଇସାରା କରିଥିଲେ । ଏହାଦେଖି ସେତେବେଳେ ପ୍ରସାଦ କିଛି ନକହି ତାଙ୍କ ବୋଲିଂ ଲାଇନ ଅଫ୍କୁ ଚାଲି ଯାଇଥିଲେ । ପରବର୍ତ୍ତି ବଲରେ ପ୍ରସାଦ ସୋହେଲଙ୍କୁ ଚକମା ଦେଇ କ୍ଲିନ୍ ବୋଲ୍ଡ କରି ଦେଇଥିଲେ । ଏହାପରେ ପ୍ରସାଦ ସବୁ ରାଗ ଚିଲ୍ଲାଇ ଚିଲ୍ଲାଇ ବାହାର କରିବା ସହ ସୋହେଲଙ୍କୁ ଇସାରା ଇସାରାରେ ଭ୍ୟାବିଲିୟନର ରାସ୍ତା ଦେଖାଇ ଦେଇଥିଲେ ।

ହରଭଜନ-ଅଖତର

୨୦୧୦ ଏସିଆ କପ୍ ଭାରତ ପାକିସ୍ତାନ ମ୍ୟାଚ୍ ଆପଣଙ୍କର ମନେ ଅଛି ନା ନାହିଁ । ଏହି ମ୍ୟାଚରେ ହରଭଜନ ସିଂ ମହମ୍ମଦ ଅମିରଙ୍କ ବଲରେ ଛକା ମାରି ଭାରତକୁ ଜିତାଇଥିଲେ । ମ୍ୟାଚ ବେଳେ ଭଜି ଓ ଅଖତରଙ୍କ ମଧ୍ୟରେ ପଡ଼ିଆ ଭିତରେ ଜୋରଦାର ହଙ୍ଗାମା ହୋଇଥିଲା । ଅଖତର ଏତେ ରାଗି ଯାଇଥିଲେ ଯେ, ଖେଳ ଶେଷ ପରେ ଭଜିଙ୍କୁ ମାରିବାକୁ ସେ ରହୁଥିବା ହୋଟେଲରେ ପହଞ୍ଚି ଯାଇଥିଲେ । ହେଲେ ଭଜି ତାଙ୍କୁ ଭେଟିବାକୁ ମନା କରିଦେବା ପରେ ସେ ଫରିଥିଲେ ଓ ତାଙ୍କ ରାଗ ଶାନ୍ତ ହୋଇଥିଲା । କିଛିଦିନ ପୂର୍ବରୁ ଏହି ଘଟଣାକୁ ମନେ ପକାଇ ଅଖତର ଭଜିଙ୍କୁ ଭାଇ ବୋଲି ସମ୍ବଧୋନ କରିଥିଲେ । ସେ କହିଥିଲେ ଆମେ ସାଙ୍ଗ ହୋଇ ଲାହୋରରେ ବୁଲିଛୁ । ଆମ ସଂସ୍କୃତି ପ୍ରାୟ ଏକା ପରି । ମ୍ୟାଚ୍ ବେଳେ ଭଜି ଆମ ସହ ଖରାପ ବ୍ୟବହାର କରିଥିଲେ । ସେଥିପାଇଁ ରାଗରେ ମୁଁ ତାଙ୍କୁ ମାରିବାକୁ ହୋଟେଲ ରୁମ୍ ପର୍ଯ୍ୟନ୍ତ ପଳାଇଥିଲି । ପରେ ଭଜି ଘଟଣାକୁ ନେଇ ମୋତେ କ୍ଷମା ମାଗିଥିଲେ ।

ଗମ୍ଭୀର-ଅକମଲ

୨୦୧୦ ଏସିଆ କପରେ ଦୁଇ ଦଳ ମଧ୍ୟରେ ଆଉ ଏକ ଡ୍ରାମା ଦେଖିବାକୁ ମିଳିଥିଲା । ଏହି ଡ୍ରାମାଟି ଗୌତମ ଗମ୍ଭୀର ଓ କାମରାନ ଅକମଲଙ୍କ ମଧ୍ୟରେ ହୋଇଥିଲା । ମିଷ୍ଟର କୁଲ ଧୋନୀ ଓ ଗମ୍ଭୀର ବ୍ୟାଟିଂ କରୁଥିବା ବେଳେ ଅକମଲ ଓ୍ବିକେଟ୍ ପଛରୁ ବାରମ୍ବାର ଆଉଟ୍ ଅପିଲ କରିବା ଆରମ୍ଭ କରିଦେଇଥିଲେ। ଏଥିରେ ଗମ୍ଭୀର ରାଗି ଯାଇ ଅକମଲଙ୍କୁ ସହ ଝଗଡ଼ା ଆରମ୍ଭ କରି ଦେଇଥିଲେ । ଉଭୟ ପରସ୍ପରକୁ ଗାଳି ଦେବାକୁ ବି ପଛାଇ ନଥିଲେ । ଶେଷରେ ଅନ୍ୟ ଖେଳାଳି, ଫିଲ୍ଡ ଅମ୍ପାୟାର ଦୁଇ ଜଣଙ୍କୁ ଅଲଗା କରିଥିଲେ । ଝଗଡ଼ା ଛାଡି ଖେଳ ଉପରେ ଫୋକସ୍ କରିବାକୁ ଧୋନୀ କହିବା ପରେ ଗମ୍ଭୀର ଶାନ୍ତ ପଡ଼ିଥିଲେ।

ଏହି ଗୋଟିଏ ଘଟଣା ନୁହେଁ, ୨୦୦୭ରେ ଗମ୍ଭୀର ଏହିପରି ଶାହିଦ ଆଫ୍ରିଦଙ୍କ ସହ ମୁହାଁମୁହିଁ ହୋଇଥିଲେ । ପଡ଼ିଆରେ ଉଭୟ ଗାଳି ଦେବାକୁ ଲାଗିଥିଲେ । ଅମ୍ପାୟାର ଉଭୟଙ୍କୁ ଶାନ୍ତ କରାଇଥିଲେ ।

Leave a Reply