ସମୁଦ୍ର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଭାରତ, ନୌସେନାକୁ ମିଳିଳା ମହା ବିଧ୍ବଂସକ INS ବିଶାଖାପାଟନମ୍

1 min read

ନୂଆଦିଲ୍ଲୀ: ସମୁଦ୍ରରେ ଚୀନକୁ ଟକ୍କର ଦେବାକୁ ଭାରତ କରୁଛି ପ୍ରସ୍ତୁତି । ହିନ୍ଦ ମହାସାଗରରେ ଭାରତର ନୌସେନାକୁ ବାଦଶାହ କହାଯାଇଥାଏ । ତଥାପି ଆମେରିକା ଓ ଚୀନ ପରି ଦେଶଙ୍କ ତୁଳନାରେ ଇଣ୍ଡିଆନ ନେଭି ଏବେ ବି ବହୁ ପଛରେ ରହିଛି । ହିନ୍ଦ ମହାସାଗରରେ ଚୀନର ଅନୁପ୍ରବେଶ ବଢ଼ିଯାଇଛି । ଚୀନର ମୁକାବିଲା ପାଇଁ ଭାରତୀୟ ନୌସେନା ବଳ ଗୋଟାଉଛି । ଏମିତି ସମୟରେ ନୌସେନାକୁ ମିଳିଛି ସ୍ବଦେଶୀ ଜ୍ଞାନକୌଶଳରେ ତିଆରି ପ୍ରଥମ ଗାଇଡେଡ ମିସାଇଲ ଡେଷ୍ଟ୍ରୟର INS ବିଶାଖାପାଟନମ୍ । ବିଧ୍ବଂସକ INS ବିଶାଖାପାଟନମ୍ ସମୁଦ୍ରରେ ରହି ଭାରତୀୟ ସୀମାକୁ ସୁରକ୍ଷିତ କରିବା ସହ ଶତ୍ରୁଙ୍କୁ ନିପାତ କରିବାକୁ ସକ୍ଷମ । ଚୀନ ସହ ଯୁଦ୍ଧ ଭଳି ସ୍ଥିତି ଲାଗି ରହିଥିବା ବେଳେ ଏହି ଡେଷ୍ଟ୍ରୟର ନୌସେନାକୁ ମିଳିବାକୁ ଗୁରୁତ୍ବର ସହ ଦେଖାଯାଉଛି ।

INS ବିଶାଖାପାଟନମ୍ ମାଜଗାଓଁ ଡକ୍ସରେ ନିର୍ମାଣ କରାଯାଇଛି । ୨୦୧୧ରେ ଏହାର କଣ୍ଟ୍ରାକ୍ଟ ଦିଆଯାଇଥିଲା । ୩ ବର୍ଷ ବିଳମ୍ବରେ ଗତ ଗୁରୁବାର INS ବିଶାଖାପାଟନମକୁ ନୌସେନାକୁ ପ୍ରଦାନ କରାଯାଇଛି ।

ବ୍ରହ୍ମୋସ୍ ସୁପରସୋନିକ ମିସାଇଲରେ ଲେସ INS ବିଶାଖାପାଟନମ୍

INS ବିଶାଖାପାଟନମ୍ ପରି ଆଉ ୩ଟି ଗାଇଡେଡ ମିସାଇଲ ଡେଷ୍ଟ୍ରୟର ତିଆରି କରୁଛି ଭାରତ । ଏସବୁର ଓଜନ ୭୪୦୦ ଟନ୍ ଲେଖାଏଁ ରହିବ ।  ଯାହାର ନାଁ INS ମୁରଗାଓଁ, INS ଇମ୍ଫଲ ଓ INS ସୁରତ ରଖାଯାଇଛି । କିଛି ବର୍ଷ ମଧ୍ୟରେ ଏହା ଭାରତୀୟ ନୌସେନାରେ ସାମିଲ ହୋଇଯିବେ । ଏସବୁ ୪ ଯୁଦ୍ଧ ଜାହାଜ ବ୍ରହ୍ମୋସ୍ ସୁପରସୋନିକ କ୍ରୁଜ୍ ମିସାଇଲ ଓ ଇଜରାଇଲର ବାରକ ମିସାଇଲରେ ଲେସ ହେବେ । ଯାହା ନିମିଷକରେ ଭାରତୀୟ ଜଳସୀମାରୁ ଶତ୍ରୁଙ୍କ ଚିହ୍ନବର୍ଣ୍ଣ ଲିଭାଇ ଦେବାକୁ ସକ୍ଷମ ହେବେ । ଏଗୁଡ଼ିକୁ ନିର୍ମାଣ କରିବାରେ ୩୫ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ କରିଛି ।

ଭାରତ ଚାହୁଁଛି ଅଧିକ ଏୟାରକ୍ରାପ୍ଟ

ଡେଷ୍ଟ୍ରୟର ଶକ୍ତିଶାଳୀ ହୋଇଥିଲେ ବି ଆକାର ଓ ଯୁଦ୍ଧ କ୍ଷମତାରେ ଏୟାରକ୍ରାପ୍ଟ କ୍ୟାରିୟର ଆଗରେ ତିଷ୍ଟିବା ଅସମ୍ଭବ । ଗୋଟିଏ ଦିନରେ ୫୦୦ ନଟିକଲ ମିଲ୍ରୁ ଅଧିକ ଯାଇ ପାରୁଥିବା ଏହି ଏୟାରବେସ୍ ଜରିଆରେ ଶତ୍ରୁ ଉପରେ ଭୟଙ୍କର ଆକ୍ରମଣ କରି ନିଜର ଶକ୍ତି ଦେଖାଇ ହେବ । ଏୟାରକ୍ରାପ୍ଟ କଥା କହିଲେ ଭାରତ ଏବେ ବି ବହୁ ପଛରେ ରହିଛି । ଆମେରିକା ପାଖରେ ଏୟାରକ୍ରାପ୍ଟ କ୍ୟାରିୟରର ସମୂହ ରହିଛି । ଆମେରିକା, ଚୀନ ଭଳି ଶକ୍ତିଶାଳୀ ଦେଶଙ୍କଠାରୁ ଆମେ ଏବେ ବି ପଛରେ ଅଛନ୍ତି ।

ଆମେରିକା ପାଖରେ ପ୍ରାୟ ୨୦ଟି ଏୟାରକ୍ରାପ୍ଟ କ୍ୟାରିୟର ରହିଛି । ଏଗୁଡ଼ିକ ଏତେ ଶକ୍ତିଶାଳି ଯେ ଏକା ଏକା କୌଣସି ଦେଶ ସହ ଯୁଦ୍ଧ କରି ଜିତି ପାରିବେ । ସେହିପରି ଜାପାନ ଓ ଫ୍ରାନ୍ସ ପାଖରେ ୪ଟି ଲେଖାଏଁ ଏୟାରକ୍ରାପ୍ଟ କ୍ୟାରିୟର ରହିଛି । ଚୀନ ପାଖରେ ଦୁଇଟି ଥିବା ବେଳେ ସେ ଆଉ ଦୁଇଟି ତିଆରି କରୁଛି । ଏମାନଙ୍କ ସହ ଭାରତକୁ ତୁଳନା କଲେ, ଆମେ କେତେ ପଛରେ ରହିଛନ୍ତି ଜାଣି ପାରିବେ ।

INS ବିକ୍ରମାଦିତ୍ୟ ଏବେ ଭାରତୀୟ ନୌସେନାରେ ଏକମାତ୍ର ଏୟାରକ୍ରାପ୍ଟ ଭାବେ ସେବା ଦେଉଛି । ୪୪ ହଜାର ୫୦୦ ଟନ୍ ଓଜରର ଏହି ଏୟାରକ୍ରାପ୍ଟକୁ ୨୦୧୩ରେ ୨.୩୩ ବିଲିୟନ ଡରାର ଦେଇ ଭାରତ ରୁଷ ପାଖରୁ କିଣିଥିଲା । ଏହାର ଡେକ୍ ଅପରେଟ ପାଇଁ ୨ ବିଲିୟନ ଡଲାରରେ ୪୫ଟି MIG-29K କିଣା ଯାଇଥିଲା । ଭାରତ ଏବେ INS ବିକ୍ରାନ୍ତ ଉପରେ କାମ କରୁଛି । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ INS ବିକ୍ରାନ୍ତର ଓଜନ ୪୦ ହଜାର ଟନ ରହିଛି । ଯାହାର ଦ୍ବିତୀୟ ପ୍ରର୍ଯ୍ୟାୟ ଟ୍ରାଏଲ ଚାଲିଛି ।

କୋଚିନ ସିପୟାର୍ଡ ପାଖାପାଖି ୨୩ ହଜାର କୋଟି ଟଙ୍କାରେ ଏହାକୁ ନିର୍ମାଣ କରିଛି । ୨୦୨୩ ଜୁନ, ଜୁଲାଇ ବେଳକୁ ଏହା ସମ୍ପୂର୍ଣ୍ଣ ଅପରେସନ ପାଇଁ ଫିଟ୍ ହୋଇଯିବ । ଏହାର ଡେକରେ MIG-29K ସୁପରସୋନିକ ଫାଇଟର ଜେଟ ଓ MH-60R ମଲଟି ରେଞ୍ଜ ହେଲିକପ୍ଟର ମୁତୟନ ହେବ ।

Leave a Reply