ଆଜି ଭାରତ-ବାଂଲାଦେଶ ଶେଷ ଦିନିକିଆ, ରୋହିତଙ୍କ ସ୍ଥାନରେ ଯୁବ ଖେଳାଳିଙ୍କୁ ମିଳିବ ସୁଯୋଗ

1 min read

ଚଟ୍ଟୋଗ୍ରାମ: ଆଜି ଭାରତ-ବାଂଲାଦେଶ ଶେଷ ଦିନିକିଆ । ୩ଟିକିଆ ସିରିଜର ଦୁଇଟି ମ୍ୟାଚରେ ପରାଜିତ ହୋଇ ସିରିଜ ହାରି ସାରିଛି ଭାରତ । ଆଜି ସମ୍ମାନ ବଞ୍ଚାଇବାକୁ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଦିନ ସାଢେ ୧୧ଟାରୁ ଆରମ୍ଭ ହେବ ମ୍ୟାଚ୍ । ଆହତ ଜନିତ ସମସ୍ୟା କାରଣରୁ ଅଧିନାୟକ ରୋହିତ ଶର୍ମା, ଦ୍ରୁତ ବୋଲର ଦୀପକ ଚହର, କୁଲଦୀପ ସେନ ତୃତୀୟ ଦିନିଆରୁ ବାଦ ପଡ଼ିଛନ୍ତି ।

ଏଭଳି ସ୍ଥିତିରେ କେ.ଏଲ ରାହୁଲଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ମେନ ଇନ୍ ବ୍ଲୁ । ପୂର୍ବରୁ ଗତ ଦୁଇଟି ମ୍ୟାଚ ହାରି ବ୍ୟାକ ଫୁଟରେ ଅଛି ଭାରତ । ଆଜି ମ୍ୟାଚ ଜିତି ସମ୍ମାନ ରଖିବାକୁ ଉଦ୍ୟମ କରିବ ଟିମ୍ । ସେପଟେ ଆଜିର ମ୍ୟାଚ୍ ଜିତି ସିରିଜ ପୋଛିନେବାକୁ ରଣନୀତି କରିଛି ଘରୋଇ ଟିମ୍ । ଆଗକୁ ଦିନିକିଆ ବିଶ୍ୱକପ୍ ଥିବାରୁ ଭାରତକୁ ସ୍ଥିତି ସୁଦୃଢ଼ କରିବାକୁ ପଡ଼ିବ ।

ଲଗାତାର ଫ୍ଲପ୍ ହେଉଛି ଟିମ୍ ଇଣ୍ଡିଆ । ଏସିଆ କପ୍ ଓ ଟି-୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏବେ ବାଂଲାଦେଶଠୁ ସିରିଜ୍ ହାରିଛି । ସବୁଠୁ ଧନୀ କ୍ରିକେଟ ବୋର୍ଡ ବିସିସିଆଇକୁ ଟିମର ଏପରି ପ୍ରଦର୍ଶନ ପାଇଁ ସମାଲୋଚନା କରାଯାଇଛି । ଟିମରେ ପରିବର୍ତ୍ତନ ପାଇଁ ଲଗାତାର ଦାବି କରାଯାଉଛି । ନିକଟରେ ବିସିସିଆଇ ମଧ୍ୟ ଚୟନକର୍ତ୍ତା କମିଟିକୁ ବରଖାସ୍ତ କରି ନୂଆ କମିଟି ଗଠନ ପାଇଁ ନିଷ୍ପତ୍ତି ନେଇଥିଲା ।

ସମ୍ଭାବିତ ଭାରତୀୟ ଦଳ: ଶିଖର ଧୱନ, ବିରାଟ କୋହଲି, ଶ୍ରେୟସ ଆୟର, ଇଶାନ କିଷାନ/ରାହୁଲ ତ୍ରିପାଠୀ, କେଏଲ ରାହୁଲ (ଅଧିନାୟକ/ୱିକେଟ କିପର), ୱାସିଂଟନ ସୁନ୍ଦର, ଅକ୍ସର ପଟେଲ, ଶ୍ରାଦ୍ଧୁଲ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଉମ୍ରାନ ମଲିକ ।

ସମ୍ଭାବିତ ବାଂଲାଦେଶ ଦଳ: ନଜମୁଲ ହୁସେନ ଶାନ୍ତୋ, ଲିଟନ ଦାସ (ଅଧିନାୟକ), ଆନାମୁଲ ହକ୍, ଶାକିବ ଅଲ ହସନ, ମୁଶଫିକର ରହିମ (ୱିକେଟ କିପର), ମହମୁଦୁଲ୍ଲାହ, ଅଫିଫ ହୁସେନ, ମେହିଦି ହସନ ମିରାଜ, ନାସୁମ ଅହମ୍ମଦ, ଏବାଡଟ ହୁସେନ, ମୁସ୍ତାଫିଜୁର ରେହମାନ ।