ଆଜିଠୁ ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ

1 min read

ନାଗପୁର : ଆଜିଠୁ ଆରମ୍ଭ ହାଇପ୍ରୋଫାଇଲ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ। ପଡିଆ ପ୍ରସ୍ତୁତ ଏବଂ ଖେଳାଳି ବି ପ୍ରସ୍ତୁତ । ଆଉ କିଛି ସମୟ ପରେ ଆରମ୍ଭ ହେବ ମହାମୁକାବିଲା । ନାଗପୁରରେ ଦିନ ୯ଟା ୩୦ରେ ଖେଳାଯିବ ପ୍ରଥମ ମ୍ୟାଚ । ନମ୍ବର ୱାନ ଅଷ୍ଟ୍ରେଲିଆ ଓ ନମ୍ବର ୨ ଭାରତ ଭିତରେ କଡା ମୁକାବିଲା ସମ୍ଭାବନା । ଏହି ସିରିଜରେ ଉଭୟ ଦେଶର ଖେଳାଳି ନିଜ ନାଁରେ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ଶୃଙ୍ଖଳାକୁ ମୂଳପୋଛ କରି ଡବ୍ଲୁଟିସି ବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲକୁ ଯୋଗ୍ୟତା ହାସଲ କରିବା ପାଇଁ ଭାରତ ନଜର ରଖିଥିଲା ବେଳେ ଅନ୍ୟପକ୍ଷରେ ଭାରତଠୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଅଷ୍ଟ୍ରେଲିଆ ।

ପୂର୍ବ ଦୁଇ ଶୃଙ୍ଖଳାରେ ଦମଦାର ପ୍ରଦର୍ଶନ ବଳରେ ଭାରତ ବର୍ଡର-ଗାଭାସ୍କର ଟ୍ରଫିକୁ ନିଜ ପାଖରେ ରଖିଥିବାରୁ ଏହା କମିନ୍ସଙ୍କୁ ଅତିମାତ୍ରାରେ ବାଧିଛି । ଦଳୀୟ ସନ୍ତୁଳନ ଦୃଷ୍ଟିକୋଣରୁ ରୋହିତ ଶର୍ମା, ବିରାଟ କୋହଲି, ଚେତେଶ୍ୱର ପୂଜାରା ବ୍ୟାଟିଂକ୍ରମ ସମ୍ଭାଳିବା ନିଶ୍ଚିତ । ହେଲେ ଦ୍ୱିତୀୟ ଓପ୍ନର ଏବଂ ପଞ୍ଚମ ସ୍ଥାନରେ ବ୍ୟାଟିଂ ପାଇଁ ଚିନ୍ତା ଜାରି ରହିଛି । ଏହି ସ୍ଥାନ ପାଇଁ ଶୁବମନ ଗିଲ୍, କେଏଲ୍ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବ ଦାବିଦାର ରହିଥିଲା ବେଳେ ଜଣଙ୍କୁ ବାହାରେ ବସିବାକୁ ପଡ଼ିବ । ତେଣୁ ଦୁଇଟି ସ୍ଥାନ ପାଇଁ ଏହି ତିନି ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ ।