ୟୁକ୍ରେନସ୍ଥିତ ଆଣବିକ କାରଖାନାର ସୁରକ୍ଷା ପାଇଁ ଜାତିସଂଘରେ ଭାରତର ଦାବି

1 min read

ନୂଆଦିଲ୍ଲୀ: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଋଷ ୟୁକ୍ରେନ ଯୁଦ୍ଧ । ଋଷ ତା ସେନାବଳରେ ୟୁକ୍ରେନରେ ଧ୍ୱଂସ ଲୀଳା ରଚୁଛି । ୟୁକ୍ରେନସ୍ଥିତ ଆଣବିକ କାରଖାନାର ସୁରକ୍ଷା ନେଇ ଜାତିସଂଘ ନିରାପତ୍ତା ପରିଷଦ ନିକଟରେ ଭାରତର ଦାବି । ଜାପୋରିଝିଝିଆ ଆଣବିକ କାରଖାନାକୁ ଋଷ ନିଜ କବଜାକୁ ନେଇଥିବା ବେଳେ, ଦେଶରେ ଥିବା ଅନ୍ୟାନ୍ୟ ଆଣବିକ କାରଖାନାର ସୁରକ୍ଷା ନେଇ ଭାରତ ଚିନ୍ତାପ୍ରକଟ କରିଛି ।

 ୧୫ ରାଷ୍ଟ୍ର ବିଶିଷ୍ଟ ନିରାପତ୍ତା ପରିଷଦର ଏକ ଜରୁରୀ ବୈଠକରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତି କହିଛନ୍ତି ଯେ, ଋଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତିରେ ଆଣବିକ କାରଖାନା ଉପରେ ଆକ୍ରମଣ ଜନଜୀବନ ଲାଗି ଭୟଙ୍କର ବିପଦ ସୃଷ୍ଟି କରିବ । ଏହାର ସୁରକ୍ଷା ଅତି ଜରୁରୀ । ଆଲବାନିଆ, ଫ୍ରାନ୍ସ, ଆୟାର୍ଲାଣ୍ଡ, ନରୱେ , ବ୍ରିଟେନ ଓ ଆମେରିକା ଦ୍ୱାରା ଏହି ବୈଠକ ଆହୂତ ହୋଇଥିଲା । ତେଣେ ଆନ୍ତର୍ଜାତିକ ଆଣବିକ ଶକ୍ତି ସଂସ୍ଥା ବା ଆଇଏଇଏର ମହାନିର୍ଦ୍ଦେଶକ ରାଫେଲ ମାରିଆନୋ ଗ୍ରସି କହିଛନ୍ତି ଯେ, ୟୁକ୍ରେନସ୍ଥିତ ଆଣବିକ କାରଖାନା ଉପରେ ସତର୍କ ଦୃଷ୍ଟି ରଖାଯାଇଛି । ସେ ଚେର୍ଣ୍ଣୋବିଲ ଯାଇ ଏହି ପ୍ରସଙ୍ଗରେ ଋଷ ଓ ୟୁକ୍ରେନ ସହ ଆଲୋଚନା କରିବା ଲାଗି ପ୍ରସ୍ତାବ ଦେଇଛନ୍ତି ।

ସେହିପରି ରାଜନୈତିକ ଓ ଶାନ୍ତି ପ୍ରତିଷ୍ଠା ବ୍ୟାପାର ଉପମହାନିର୍ଦ୍ଦେଶକ ରୋଜମାରି ଡିକାର୍ଲୋ କହିଛନ୍ତି, ଆଣବିକ ବିପତ୍ତି ଯେପରି ଘଟିବ ନାହିଁ ସେଥିଲାଗି ପଦକ୍ଷେପ ନିଆଯାଉଛି । ଆଣବିକ କାରଖାନା ନିକଟବର୍ତ୍ତୀ ସ୍ଥାନରେ ସାମରିକ କାର୍ଯ୍ୟକଳାପକୁ ସେ ତୀବ୍ର ବିରୋଧ କରିଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି, ୟୁକ୍ରେନ ଉପରେ ଆକ୍ରମଣ କରିବା ସହ ଋଷ ଆଣବିକ ଆତଙ୍କ ସୃଷ୍ଟି କରୁଛି । ଚେର୍ଣ୍ଣୋବିଲ ପରି ଆଉ ଏକ ଘଟଣା ଘଟୁ ବୋଲି ଋଷ ରାଷ୍ଟ୍ରପତି ଚାହୁଁଥିବା ନେଇ ଅଭିଯୋଗ କରିଛନ୍ତି ଜେଲେନସ୍କି ।

Leave a Reply