ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ତିଷ୍ଟି ପାରିଲେନି କିୱି ବ୍ୟାଟର, ୧୦୮ ରନରେ ଅଲଆଉଟ୍

1 min read

ରାଇପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଚାଲିଛି । ରାଇପୁରର ସହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି । ପ୍ରଥମେ ଶ୍ରୀଲଙ୍କା ବ୍ଯାଟିଂ କରି ୩୪.୩ ଓଭରରେ ନିଜର ସମସ୍ତ ୱିକେଟ୍ ହରାଇ ୧୦୮ ରନ୍ ସଂଗ୍ରହ କରିପାରିଛି । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ କ୍ରୀଜରେ ତିଷ୍ଟିପାରିନଥିଲେ କିୱି ବ୍ୟାଟର । ଭାରତକୁ ଏବେ ଏହି ସହଜ ଲକ୍ଷ୍ୟକୁ ୫୦ ଓଭର ମଧ୍ୟରେ ହାସଲ କରିବାକୁ ହେବ । ଏହି ବିଜୟ ଲକ୍ଷ୍ୟ ହାସଲ କରିବା ସହ ଭାରତ ସିରିଜ୍ ବିଜୟୀ ହେବ ।

ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ସେହିପରି ଆହ୍ୱାନକ୍ରମେ ନ୍ୟୁଜିଲାଣ୍ଡ ବ୍ୟାଟିଂ କରିଥିଲା । ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଥିଲେ କିୱି ବ୍ୟାଟର । ନ୍ୟୁଜିଲାଣ୍ଡର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଫିନ୍ ଆଲେ ଏବଂ ଦେଭୋନ କନୱେୟ ଖରାପ ଆରମ୍ଭ କରିଥିଲେ । କିଛି ରନ୍ ନକରିପାରି ଫିନ୍ ଆଲେ ଆଉଟ୍ ହୋଇଯାଇଥିବା ବେଳେ ଦେଭୋନ ମାତ୍ର ୭ ରନ୍ କରି ଆଉଟ୍ ହୋଇଯାଇଥିଲେ ।

ଦଳ ପକ୍ଷରୁ ଗ୍ଲେନ ମିଚେଲ ସର୍ବାଧିକ ୩୬ ରନ୍ କରିଥିବା ବେଳେ ମାଇକେଲ ବ୍ରେସୱେଲ୍ ୨୨ ଏବଂ ମାଇକେଲ ସାଣ୍ଟନର ୨୭ ରନ୍ କରିଥିଲେ । ଏହି ତିନି ବ୍ୟାଟ୍ସମ୍ୟାନଙ୍କୁ ଛାଡିଲେ ଅନ୍ୟ କେହି ଦୁଇ ଅଙ୍କ ଛୁଇଁବାରେ ସମର୍ଥ ହୋଇନଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମୀ ସର୍ବାଧିକ ୩ ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ୱାଶିଂଟନ ସୁନ୍ଦର ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ମହମ୍ମଦ ସିରାଜ, ଶ୍ରାଦ୍ଧୁଳ ଠାକୁର ଓ କୁଲଦୀପ ଯାଦବ ଗୋଟେ ଲେଖାଏଁ ୱିକେଟ୍ ନେଇଥିଲେ ।

ଭାରତକୁ ଜିତିବାକୁ ହେଲେ ନିର୍ଦ୍ଧାରିତ ୫୦ ଓଭର ମଧ୍ୟରେ ୧୦୯ ରନ୍ ସଂଗ୍ରହ କରିବାକୁ ହେବ । ଏହି ସହଜ ବିଜୟ ଲକ୍ଷ୍ୟକୁ ଭାରତ ସହଜରେ ହାସଲ କରିବା ନେଇ ଆଶା । ପ୍ରଥମ ମ୍ୟାଚରେ ଜିତି ଭାରତ ୧-୦ରେ ଆଗୁଆ ଥିଲା ଏବେ ଆଜିର ମ୍ୟାଚ୍ ଜିତିଲେ ୨-୦ରେ ସିରିଜ୍ ବିଜୟୀ ହେବ । ଏହା ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ୩-୦ରେ ସିରିଜ ମୂଳପୋଛ କରିଥିଲା ଭାରତ ।