ଆମ୍ଵ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା: କଟା ଘାରେ ଚୂନ ଲେପିଲା ମନ୍ତ୍ରୀଙ୍କ ମନ୍ତବ୍ୟ

ଭୁବନେଶ୍ବର: ଆମ୍ଵ ଟାକୁଆ ଜାଉ ଖାଇ ମୃତ୍ୟୁ, ରାଜ୍ୟ ପାଇଁ ଲଜ୍ଜା । ଘଟଣାକୁ ଗୁରୁତର ସହିତ ନେଇ ତ୍ରୁଟି ସୁଧାରିବାକୁ ପଦକ୍ଷେପ ନେବା ବଦଳରେ ଭୁରୁଡ଼ି ମାରୁଛନ୍ତି ରାଜ୍ୟ ସରକାର । ମନ୍ତ୍ରୀ ଏପରିକି ଉପମୁଖ୍ୟମନ୍ତ୍ରୀ ବି ଅବାନ୍ତର, ହାସ୍ୟାସ୍ପଦ ମନ୍ତବ୍ୟ ଦେଉଛନ୍ତି । କନ୍ଧମାଳ ଜିଲ୍ଲାପାଳ କହୁଛନ୍ତି, ଆମ୍ଵ ଟାକୁଆ ଜାଉ ଖାଇଥିବା ଲୋକେ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ଥିଲେ । ପ୍ରଶ୍ନ ଉଠୁଛି, ଲୋକେ ଆମ୍ଵ ଟାକୁଆ ଜାଉ ଖାଇଲେ କାହିଁକି ? ପ୍ରାଶାସନିକ ଅବହେଳା, ମନ୍ତ୍ରୀଙ୍କ ଦାୟିତ୍ଵହୀନତା ମନ୍ତବ୍ୟ ପାଇଁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜେଡି । କଂଗ୍ରେସ ଓ ବାମ ଦଳ ବି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଆମ୍ଵ ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଓ ୬ ଜଣ ଗୁରୁତର ଅସୁସ୍ଥ ହେବା ରାଜ୍ୟକୁ ଲଜ୍ଜା । ହେଲେ ମନ୍ତ୍ରୀମାନେ ଯେମିତି ଅବାନ୍ତର ମନ୍ତବ୍ୟ ଦେଇଛନ୍ତି, ତାହା କଟା ଘାଆରେ ଚୂନ ଦେବା ପରି ହୋଇଛି । ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ଆମ୍ଵ ଟାକୁଆ ଖାଇବା କନ୍ଧମାଳର ଲୋକଙ୍କ ନିୟମିତ ଅଭ୍ୟାସ । କିନ୍ତୁ ସତ କଥା ହେଲା, ୪ ମାସ ହେଲା ସରକାରଙ୍କଠାରୁ ଚାଉଳ ନ ପାଇବାରୁ ଆମ୍ଵ ଟାକୁଆ ଜାଉ ଖାଇବାକୁ ବାଧ୍ୟ ହୋଇଥିଲେ ସେମାନେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମନ୍ତବ୍ୟ ତ ସବୁ ସୀମା ଟପି ଗଲା । ସେ କହିଲେ, ଏହା ଅପପୁଷ୍ଟି ନୁହେଁ । ଏପରି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ରାଜ୍ୟ ସରକାର ଯେମିତି ଖାମଖିଆଲି ଭାବେ ନେଇ ଚପାଇ ଦେବାକୁ ଚେଷ୍ଟା କରିଛନ୍ତି, ତାକୁ କଡ଼ା ସମାଲୋଚନା କରିଛି ବିଜେଡି । ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା ଅଭିଯୋଗ କରିଛନ୍ତି, ଡବଲ ଇଞ୍ଜିନ ସରକାର କେବଳ ପ୍ରଚାର ପ୍ରସାରରେ ରହିଯାଇଛି । କିନ୍ତୁ ସାଧାରଣ ବଣ୍ଟନ ବ୍ୟବସ୍ଥା ବିପର୍ଯ୍ୟସ୍ତ । ଆମ୍ଵ ଟାକୁଆ ଖାଇ ମୃତ୍ଯୁ ଘଟଣାରେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସଞ୍ଜୟ ଦାସବର୍ମା । କଂଗ୍ରେସର ମହମ୍ମଦ ମୋକିମ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ନୂଆ ସରକାର ରାଜ୍ୟବାସୀଙ୍କୁ ଭୋକ ଆଡ଼କୁ ଠେଲି ଦେଉଥିବା ସେ ଅଭିଯୋଗ କରିଛନ୍ତି ।

ସିପିଏମ୍ କହିଛି, ଏହା ହେଉଛି ଅପରାଧିକ ଅବହେଳା । ଏହା ଓଡ଼ିଶାକୁ ଲଜ୍ଜିତ କରିଛି । ସିପିଏମ୍ ଓ କଂଗ୍ରେସ ନେତା ବ୍ରହ୍ମପୁର ଏମକେସିଜି ଯାଇ ସେଠାରେ ଚିକିତ୍ସିତ ହେଉଥିବା ଅସୁସ୍ଥ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ଭେଟିଛନ୍ତି । ୪ ମାସ ହେଲା ଖାଦ୍ୟ ସୁରକ୍ଷା ଆଇନରେ ଆଦିବାସୀମାନେ ଚାଉଳ ନ ପାଇବା, ଆଇନର ଉଲ୍ଲଂଘନ । ଦୁର୍ନୀତି କରିଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଉଭୟ କଂଗ୍ରେସ ଓ ସିପିଏମ୍ ।

କେହି ଯେମିତି ଅନାହାରରେ ରହିବେ ନାହିଁ, ସେଥିପାଇଁ ୨୦୧୪ ରେ କାର୍ଯ୍ୟକାରୀ ହୋଇଥିଲା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ । ରାଜ୍ୟର ଅନେକ ଲୋକ ଏହି ଯୋଜନାରୁ ବଞ୍ଚିତ ହେବାରୁ ସେମାନଙ୍କ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ତରଫରୁ ବି ଖାଦ୍ୟ ସୁରକ୍ଷା ଆଇନ ଆରମ୍ଭ କରିଥିଲେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବଞ୍ଚିତ ୨୫ ଲକ୍ଷ ଗରିବ ଏଥିରେ ହୋଇଥିଲେ ସାମିଲ । ବିଜେପି ସରକାର କିନ୍ତୁ କିଛି ଶିଖିବା ବଦଳରେ କେବଳ ପ୍ରଚାର ପ୍ରସାରରେ ବ୍ୟସ୍ତ । ଲାଗୁଛି, ନିଜକୁ ଶିଶୁ ସରକାର କହୁଥିବା ବିଜେପି ସରକାର ଶୈଶବରୁ ବାହାରିବା ମୁଡରେ ନାହାନ୍ତି । ଏପରିକି ସମବେଦନା ବଦଳରେ ଅବାନ୍ତର କଥା କହୁଛନ୍ତି ।

ନଜର ପକାନ୍ତୁ