ରାଜ୍ୟରେ ଉପର ମୁହାଁ ପାରଦ, ଆହୁରି ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି ତାତି । ପଶ୍ଚିମ ଓଡ଼ିଶାରେ ଉପରମୁହାଁ ହୋଇଛି ପାରଦ । କେବଳ ରାଜ୍ୟ ନୁହେଁ ଦେଶର ଉତ୍ତପ୍ତ ସହର ପାଲଟୁଛି ଆଭ୍ୟନ୍ତରୀଣ ଓଡ଼ିଶା । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାତି ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ଏଥିପାଇଁ ଦିନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଜରୁରୀ କାମ ନଥିଲେ ବାହାରକୁ ନବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଜାରି ରହିଛି କାଳବୈଶାଖୀର ତାଣ୍ଡବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପାଇଁ ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୮ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ, ଉପକୂଳ, ଉତ୍ତର ଓଡ଼ିଶାରେ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ ।