ଖେଳାଳୀରୁ ପ୍ରଧାନମନ୍ତ୍ରୀ ! କେମିତି ଥିଲା ଇମ୍ରାନଙ୍କ କ୍ୟାରିୟର ଜାଣନ୍ତୁ

1 min read

ଇସଲମାବାଦ: ପାକିସ୍ତାନକୁ ବିଶ୍ୱକପ୍ ମୁକୁଟ ପିନ୍ଧାଇଥିବା ଇମ୍ରାନ ଖାଁଙ୍କ ରାଜନୈତିକ ପରାଜୟ । ୧୯୯୨  ଅମାପ କରିସ୍ମା ପ୍ରଦର୍ଶନ କରିଥିବା କ୍ୟାପଟେନ ରାଜନୀତିର ଗୋଟିଚାଳନାରେ ହୋଇଛନ୍ତି ଫେଲ୍ । ନିଜେ ଗଠନ କରିଥିବା ଦଳର ସାଂସଦମାନେ ବି ଶେଷରେ ତାଙ୍କୁ ଦେଇଛନ୍ତି ଧୋକା । ଜଣେ କ୍ରୀଡାବିତରୁ ରାଜନୀତିର ଶୀର୍ଷକୁ ଯାଇଥିବା ଏକମାତ୍ର ପ୍ରଧାନମନ୍ତ୍ରୀ ଇମ୍ରାନ ବି ସାଜିଗଲେ ଅନାସ୍ଥାରେ ହାରିବାରେ ପ୍ରଥମ ପ୍ରଧାନମନ୍ତ୍ରୀ । ୧୯୫୨ରେ ମିରାଓ୍ବାଲିରେ ଜନ୍ମଗ୍ରହଣ କରିଥିବା ଇମ୍ରାନ ଜଣେ ସଫଳ କ୍ରୀଡ଼ାବିତ ହେବା ସହ ଜଣେ ସଫଳ ରାଜନେତା ଭାବେ ଖ୍ୟାତି ଅର୍ଜନ କରିଥିଲେ ।

ପାକିସ୍ତାନ ରାଜନୀତିରେ ପରିବର୍ତ୍ତନ ଆଣିବା ତଥା ପିଏମଏଲ- ନଓ୍ବାଜ ଓ ପାକିସ୍ତାନ ପିପୁଲ୍ସ ପାର୍ଟିର ଆଧିପତ୍ୟ ଲୋପ କରିବା ଲାଗି ୧୯୯୬ରେ ଇମ୍ରାନ ଗଠନ କରିଥିଲେ ପାକିସ୍ତାନ ତେହରିକ-ଇ-ଇନସାଫ । ଅକ୍ଲାନ୍ତ ପରିଶ୍ରମ, ତ୍ୟାଗ, ଦକ୍ଷତା ବଳରେ ଶେଷରେ ସେ ପିଟିଆଇକୁ କ୍ଷମତାସୀନ କରିବାରେ ସଫଳତା ଲାଭ କରିଥିଲେ । ଅକ୍ସଫୋର୍ଡରୁ ଶିକ୍ଷାଲାଭ କରିଥିବା ପାସ୍ତୁନ ସମ୍ପ୍ରଦାୟ ନେତା ଇମ୍ରାନ ୨୦୧୮ରେ ନୟା ପାକିସ୍ତାନ ସ୍ଲୋଗାନ ଦେଇ କ୍ଷମତାର ସ୍ବାଦ ଚାଖିଥିଲେ । ୨୦୦୨ରେ ପ୍ରଥମ ଥର ଲାଗି ଓ ୨୦୧୩ରେ ଦ୍ବିତୀୟ ଥର ଲାଗି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଇମ୍ରାନ ।

୨୦୧୮ ନିର୍ବାଚନରେ ଦେଶରୁ ଦୁର୍ନୀତି, ଦାରିଦ୍ର୍ୟ, ଶିକ୍ଷା ଓ ସ୍ବାସ୍ଥ୍ୟ ସଂକଟ ହଟାଇବା ନାରା ଦେଇ କ୍ଷମତାକୁ ଆସିଥିଲେ । ଏହି ନିର୍ବାଚନରେ ତାଙ୍କ ଦଳ ଲାଭ କରିଥିଲା ୧୪୯ ଆସନ । ଶାସନକାଳ ମଧ୍ୟରେ ଇମ୍ରାନ ପାଶ୍ଚାତ୍ୟ ରାଷ୍ଟ୍ର ତଥା ବିଶେଷ କରି ଆମେରିକା ସହ ଭଲ ସମ୍ପର୍କ ରକ୍ଷା ନ କରି ଋଷ ଓ ଚୀନ ସହ ସମ୍ପର୍କ ରଖିଥିଲେ । ତେବେ ୨୦୧୯ ବାଲାକୋଟ୍ ଏୟାରଷ୍ଟ୍ରାଇକ ଘଟଣା ପରେ ଭାରତ ଓ ପାକିସ୍ତାନ ସମ୍ପର୍କରେ ତିକ୍ତତା ପ୍ରକାଶ ପାଇଥିଲା । ଏହାସହ ଗତ ଅଗଷ୍ଟ ୨୦୧୯ରେ ଜାମ୍ମୁ ଓ କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ଖରାପ ହୋଇଥିଲା ।

କାଶ୍ମୀର ପ୍ରସଙ୍ଗକୁ ସର୍ବଦା ଗୁରୁତ୍ବ ଦେଇ ଆସିଥିବା ଇମ୍ରାନଙ୍କ ଯୋଗୁ ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା । ଗତବର୍ଷ ଆଇଏସଆଇ ମୁଖ୍ୟଙ୍କୁ ନିଯୁକ୍ତି ଦେବା ଘଟଣାକୁ କେନ୍ଦ୍ର କରି ଇମ୍ରାନ ଶକ୍ତିଶାଳୀ ସେନାର ସମର୍ଥନ ହରାଇ ବସିଥିଲେ । ଇମ୍ରାନଙ୍କ ବୈବାହିକ ଜୀବନ ବି ଚର୍ଚ୍ଚିତ । ସେ ୧୯୯୫ରେ ବ୍ରିଟେନର ଅର୍ବୁଦପତିଙ୍କ କନ୍ୟା ଜେମିମା ଗୋଲଡ ସ୍ମିଥଙ୍କୁ ବିବାହ କରିଥିଲେ । ପରେ ୯ ବର୍ଷ ପରେ ତାଙ୍କୁ ତ୍ୟାଗ କରି ଟିଭି ଆଙ୍କର ରେହମ ଖାଁଙ୍କୁ ବିବାହ କରିଥିଲେ । ମାତ୍ର ୧୦ ମାସ ପରେ ଏହି ବିବାହରେ ପୂର୍ଣ୍ଣଚ୍ଛେଦ ପଡିଥିଲା । ୨୦୧୮ରେ ସେ ତୃତୀୟ ଥର ଲାଗି ବୁସ୍ରା ମାନେକାଙ୍କୁ ବିବାହ କରିଥିଲେ ।