ଜୁନ୍‌ରେ ଆସିବ ମୌସୁମୀ: ୯୯ ପ୍ରତିଶତ ବର୍ଷା ସମ୍ଭାବନା

1 min read

ଭୁବନେଶ୍ୱର: ଏ ବର୍ଷ ବି ଦେଶରେ ସ୍ୱାଭାବିକ ହେବ ମୌସୁମୀ ବର୍ଷା । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଲଗାତର ତୃତୀୟ ବର୍ଷ ପାଇଁ ମୌସୁମୀ ସ୍ୱାଭାବିକ ରହିବ । ଓଡ଼ିଶାରେ ମଧ୍ୟ ସ୍ୱାଭାବିକ ବର୍ଷା ହେବ ବୋଲି ବିଭାଗ ସ୍ପଷ୍ଟ କରିଛି । ଜୁନ ପହିଲା କିମ୍ବା ଦ୍ୱିତୀୟ ସପ୍ତାହରେ ଓଡିଶାରେ ପ୍ରବେଶ କରିପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏଣେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖି ସମ୍ଭାବନା ଥିବାରୁ ୧୮ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛନ୍ତି ଏସଆରସି ।

ଏ ବର୍ଷ ସ୍ୱାଭାବିକ ବର୍ଷିବ ମୌସୁମୀ । ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ୯୯ ପ୍ରତିଶତ ବର୍ଷା ସମ୍ଭାବନା । ଓଡିଶାରେ ବି ସ୍ୱାଭାବିକ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଲଗାତର ତୃତୀୟ ବର୍ଷ ପାଇଁ ସ୍ୱାଭାବିକ ହେବ ମୌସୁମୀ ବର୍ଷା । ଦୀର୍ଘକାଳୀନ ଅନୁପାତ ଅନୁସାରେ ୯୬ ରୁ ୧୦୪ ପ୍ରତିଶତ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । କେନ୍ଦ୍ରାଞ୍ଚଳ, ଉତ୍ତର ଭାରତର କିଛି ଅଞ୍ଚଳ ଏବଂ ଗାଙ୍ଗେୟ ଉପତ୍ୟକାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ । ଉତ୍ତର-ପୂର୍ବ ରାଜ୍ୟ, ତାମିଲନାଡୁ, କେରଳର କିଛି ଅଂଶ, ଜାମୁ-କାଶ୍ମୀର, ଲଦାଖ, ହରିଆଣା, ପଞ୍ଜାବ, ହିମାଚଳ ପ୍ରଦେଶର କିଛି ଅଞ୍ଚଳରେ ସ୍ବାଭାବିକ ଠାରୁ କମ୍ ବୃଷ୍ଟିପାତ ହୋଇପାରେ ।

ଜୁନ୍ ପହିଲା କିମ୍ବା ଦ୍ୱିତୀୟ ସପ୍ତାହରେ ଦକ୍ଷିଣ –ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ହେବା ସମ୍ଭାବନା ରହିଛି । ଲା ନିନାର ପ୍ରଭାବ ରହୁଥିବାରୁ ରାଜ୍ୟର ଅନେକ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହେବ । କିନ୍ତୁ ଗଜପତି, ନୂଆପଡା, ବଲାଙ୍ଗିର, ସମ୍ବଲପୁର ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇପାରେ । ଏଣେ ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ତାତି ବଢିବା ସହ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ । ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ଘଡଘଡି ବିଜୁଳି ସହ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଗତବର୍ଷ ସ୍ୱାଭାବିକ ବର୍ଷା ହୋଇଥିଲେ ମଧ୍ୟ ତାହା ଚାଷ କାର୍ଯ୍ୟ ପାଇଁ ଅନୁକୂଳ ହୋଇନଥିଲା । କାରଣ ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିଲା ।

ଏଥିସହିତ ପଢ଼ନ୍ତୁ: ଗାଡ଼ି ଧୀରେ ଚଳାଇବାକୁ ଇସାରା ଦେଲେ ଯୁବକ , ଚାପୁଡ଼ା ପରେ ଚାପୁଡ଼ା ମାରିଲେ ତହସିଲଦାର