ଦେଶରେ ବଢୁଛି IIT ଓ IT ଗ୍ରାଜୁଏଟ୍ ବେକାରୀଙ୍କ ସଂଖ୍ୟା

ନନ୍ଦିଘୋଷ ବ୍ୟୁରୋ: ଦେଶରେ ବଢୁଛି ଆଇଆଇଟି ଓ ଆଇଟି ଗ୍ରାଜୁଏଟ୍ ବେକାରୀ ସଂଖ୍ୟା। ଗତବର୍ଷ ଠାରୁ ପ୍ରତି ବ୍ୟାଚରେ ୧୫ରୁ ୩୦ ପ୍ରତିଶତ ଏପରି ପ୍ରଫେସନାଲ ନିଯୁକ୍ତି ପାଉନାହାନ୍ତି। ଏବେ ବିଶ୍ବ ମାନ୍ଦାବସ୍ଥା ଯୋଗୁଁ ସ୍ଥିତି ଆହୁରି ଗମ୍ଭୀର ହେବାକୁ ଯାଉଛି। ଭାରତ ସରକାର ସର୍ଭିସ୍ କ୍ଷେତ୍ରରୁ ଉତ୍ପାଦନ କ୍ଷେତ୍ରକୁ ବେଶୀ ଫୋକସ୍ କରୁନାହାନ୍ତି। ଫଳରେ ବେକାରୀ ସ୍ଥିତି ସଂଗୀନ ହେଉଛି । ବେରୋଜଗାରୀ କମାଇବାକୁ କେନ୍ଦ୍ର ସରକାର ଅବହେଳା କରୁଥିବା ବେଳେ ଓଡ଼ିଶା ଭଳି ରାଜ୍ୟ ଅନ୍ତରାଷ୍ଟ୍ରୀୟ ଆଇଟି କମ୍ପାନୀଙ୍କୁ ରାଜ୍ୟରେ ପ୍ରତିଷ୍ଠା କରି ନିଯୁକ୍ତିର ବାଟ ଫିଟାଇଛନ୍ତି ।

ଆଇଆଇଟି ଓ ଆଇଟି ପାଠ ପଢି ବେକାର। ଦେଶରେ ବଢୁଛି ଏସବୁ କ୍ଷେତ୍ରରେ ବେକାରୀଙ୍କ ସଂଖ୍ୟା। ବିଶ୍ବ ମାନ୍ଦାବସ୍ଥା ଯୋଗୁଁ ସ୍ଥିତି ଆହୁରି ଗମ୍ଭୀର ହେଲାଣି। ହେଲେ କେନ୍ଦ୍ର ସରକାର ନିଦରେ ଶୋଇବା ଭଳି ଲାଗୁଛି। ରିପୋର୍ଟ ଅନୁଯାୟୀ ଗତବର୍ଷ ୨୧ଟି ଆଇଆଇଟିରୁ ଲକ୍ଷାଧିକ ଗ୍ରାଜୁଏଟ୍ ପାସ କରିଥିଲେ। ପ୍ରତି ଟ୍ରେଡ୍ର ବ୍ୟାଚରେ ଥିବା ୧୨୦ରୁ ୧୫୦ ଛାତ୍ରଛାତ୍ରୀଙ୍କ ଭିତରୁ ୩୦ ପ୍ରତିଶତ ବେକାର ବସିଛନ୍ତି। ଏହାକୁ ଅର୍ଥନୈତିକ ଭାଷାରେ ଦେଶରେ ରିଜର୍ଭ ଆର୍ମିଙ୍କ ସଂଖ୍ୟା ବଢିଥିବା କୁହାଯାଉଛି। ଯଦି ହିସାବକୁ ନିଆଯାଏ ପ୍ରତିବର୍ଷ ଆଇଆଇଟି ଓ ଆଇଟି ପ୍ରଫେସନାଲ ୧ଲକ୍ଷ ପାସ୍ ଆଉଟ୍ରେ ବେକାରୀ ହାର ୩୦ପ୍ରତିଶତରେ ପହଞ୍ଚିଲାଣି।

ଆଇଟି ଭଳି ସର୍ଭିସ୍ କ୍ଷେତ୍ରରେ ବିଶ୍ବସ୍ତରରେ ସେତେଟା ନିଯୁକ୍ତି ସୁଯୋଗ ନାହିଁ। ସର୍ଭିସ କ୍ଷେତ୍ର ବଦଳରେ ଉତ୍ପାଦନ କ୍ଷେତ୍ରରେ ଆଇଆଇଟି ଓ ଆଇଟି ପ୍ରଫେସନାଲଙ୍କ ନିଯୁକ୍ତି ଅଧିକ ରହିଛି। କିନ୍ତୁ ଉତ୍ପାଦନ କ୍ଷେତ୍ରକୁ ଭାରତ ସରକାର ଏବେ କେତେକ ମୁଷ୍ଟିମେୟ ପୁଞ୍ଜିପତି ଓ କର୍ପୋରେଟ୍ ସଂସ୍ଥାଙ୍କ ହାତକୁ ଟେକି ଦେଇଥିବା ଅଭିଯୋଗ ହୋଇଛି। ମେକାନାଇଜ୍ଡ ଉତ୍ପାଦନ ଯୋଗୁ ଏଭଳି ଗ୍ରାଜୁଏଟ୍ ବେକାରୀଙ୍କ ସଂଖ୍ୟା ଏବେ ଦୁଇଗୁଣ ହେବାରେ ଲାଗିଛି।

ଆଇଟି ପ୍ରଫେସନାଲଙ୍କୁ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ ଅପାର ସୁଯୋଗ ସୃଷ୍ଟି କରିଛନ୍ତି। କନସେନଟ୍ରିକ୍ସ, ଡେଲଏଟ୍, ଆଇବିଏମ୍ ପରି ଅନ୍ତରାଷ୍ଟ୍ରୀୟ ଆଇଟି କମ୍ପାନୀଙ୍କୁ ରାଜ୍ୟରେ ପ୍ରତିଷ୍ଠା କରାଇ ଆଇଟି ଗ୍ରାଜୁଏଟ୍ଙ୍କୁ ରୋଜଗାର ଦେଇଛନ୍ତି। ସେହିପରି ଏମ୍ଏସ୍ଏମ୍ଇ ଓ ଭାରିଶିଳ୍ପ ପ୍ରତିଷ୍ଠା ପାଇଁ ସ୍ବତନ୍ତ୍ର ଶିଳ୍ପ ନୀତି ଯୋଗୁଁ ରାଜ୍ୟରେ ଆଗକୁ ଆଇଆଇଟି ପ୍ରଫେସନାଲଙ୍କ ପାଇଁ ନିଯୁକ୍ତିର ବାଟ ଫିଟିଛି। କିନ୍ତୁ ଭାରତ ସରକାର ଏ ଦିଗରେ ଗୁରୁତ୍ବ ଦେଇ ଚିନ୍ତା କରିବା ଦରକାର। ଜଣେ ଛାତ୍ର ଆଇଆଇଟି ପାଠ ପଢି ଯଦି ବେକାର ହେବ ତାହେଲେ ଆଗକୁ ଏପରି ଉଚ୍ଚତର ଶିକ୍ଷା ଓ ଶିକ୍ଷାନୁଷ୍ଠାନ ପ୍ରତି ଛାତ୍ରଛାତ୍ରୀ ବିମୁଖ ହୋଇପାରନ୍ତି। ଫଳରେ ସାଂଘାତିକ ସ୍ଥିତି ସୃଷ୍ଟି ହେବ।

ବେକାରୀ ଯୋଗୁ ଅର୍ଥନୈତିକ ଅପରାଧରେ ଜଡ଼ିତ ହେଉଛନ୍ତି ଆଇଆଇଟି ଓ ଆଇଟି ପାସ୍ଆଉଟ୍। ୨୦୨୨ ଏନସିଆରବି ରିପୋର୍ଟ କହୁଛି ଅର୍ଥନୈତିକ ଅପରାଧ ୧୩ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ସାଇବର କ୍ରାଇମ ବଢିଛି ୨୨ ପ୍ରତିଶତ । ଅଧିକାଂଶ ଅର୍ଥନୈତିକ ଅପରାଧରେ ରେକର୍ଡ ଦେଖିଲେ ଅଭିଯୁକ୍ତ ଆଇଟି ପ୍ରଫେସନାଲ ହୋଇଥିବା ନଜରକୁ ଆସୁଛି।