ଆଇଆଇଏମ୍‍ସି ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ ହେବ

1 min read

ଢେଙ୍କାନାଳ: ପ୍ରଥମ ଓଡ଼ିଆ ଖବରକାଗଜ ‘ଉତ୍କଳ ଦୀପିକା’ର ପ୍ରକାଶନ ୧୮୬୬ ମସିହା ଅଗଷ୍ଟ ୪ରେ ଆରମ୍ଭ ହୋଇଥିଲା । ଗୌରୀଶଙ୍କର ରାୟ ଏହି ସାପ୍ତାହିକ ଖବରକାଗଜଟିକୁ ପ୍ରକାଶ କରିଥିଲେ ୧୮୬୪ ମସିହାରେ ସ୍ଥାପିତ କଟକ ପ୍ରିଣ୍ଟିଂ କମ୍ପାନୀ ପ୍ରେସ୍‍ରୁ । ସେଇଥିପାଇଁ ଅଗଷ୍ଟ ୪କୁ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି । ଏହାକୁ ଓଡ଼ିଆ ଭାଷାର ପ୍ରଥମ ପ୍ରକୃତ ଅର୍ଥରେ ଖବରକାଗଜ ଭାବେ ବିବେଚିତ କରାଯାଏ । ଖବରକାଗଜର ଅବଧାରଣାରେ ଯେଉଁ କଥାଗୁଡ଼ିକ ରହିଛି- ‘ଉତ୍କଳ ଦୀପିକା’ରେ ତାହା ସବୁ ଥିଲା । ଓଡ଼ିଶାର ସାମାଜିକ ତଥା ରାଜନୈତିକ ଜୀବନରେ ଏହି ଖବରକାଗଜ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହା ସାଧାରଣ ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ପ୍ରଶାସନ ସମ୍ମୁଖକୁ ଆଣିଥିଲା । ୧୮୬୬ରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା । ଦୁର୍ଭିକ୍ଷ ସମୟର ଖବର ‘ଉତ୍କଳ ଦୀପିକା’ରେ ସ୍ଥାନ ପାଉଥିଲା । ଭୋକିଲା ଲୋକଙ୍କ ସହାୟତା ପାଇଁ ପ୍ରଶାସନ କ’ଣ ପଦକ୍ଷେପ ନେବା ଉଚିତ, ସେ ସମ୍ପର୍କରେ ଅନେକ ସୁଚିନ୍ତିତ ପରାମର୍ଶ ଦେଉଥିଲା ‘ଉତ୍କଳ ଦୀପିକା’ । ଓଡ଼ିଆଙ୍କ ସ୍ୱାର୍ଥ, ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଦିଗରେ ଏହା ଉଦ୍ୟମ କରିଥିଲା । ୧୮୬୬ରୁ ୧୯୩୬ ଯାଏ- ସାତ ଦଶନ୍ଧି ଧରି ଧାରାବାହିକ ଭାବରେ ଏହାର ପ୍ରକାଶନ ଜାରି ରହିଥିଲା । ସେହିପରି ଓଡ଼ିଆ ଭାଷାକୁ ବୁଡ଼େଇ ଦେବା ନେଇ ବଙ୍ଗାଳୀଙ୍କ ଷଡ଼ଯନ୍ତ୍ରର ତୀବ୍ର ବିରୋଧ କରିଥିଲା ଉତ୍କଳ ଦୀପିକା।
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି) ଢେଙ୍କାନାଳ ପକ୍ଷରୁ ଆସନ୍ତା ଅଗଷ୍ଟ ୪ ତାରିଖରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯିବ । ଏହି ଅବସରରେ ‘ସାମ୍ବାଦିକତା ଓ ସାହିତ୍ୟ’ ଉପରେ ବିଶିଷ୍ଟ ଅନୁବାଦକ ତଥା ସ୍ତମ୍ଭକାର ପ୍ରଫେସର ଯତୀନ୍ଦ୍ର ନାୟକ ବକ୍ତବ୍ୟ ପ୍ରଦାନ କରିବାର କାର୍ଯ୍ୟକ୍ରମ ଅଛି । ସେହିପରି ୨୦୨୦-୨୧ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମର ପ୍ରଥମ ସେମିଷ୍ଟରରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ଯାଜ୍ଞସେନୀ ଧଳଙ୍କୁ ରାଧାନାଥ ରଥ ବୃତ୍ତି ପ୍ରଦାନ କରାଯିବ । ଏହାସହ ଇଂରାଜୀ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମର ଛାତ୍ରୀ ଖ୍ୟାତି ସଙ୍ଗୀରଙ୍କୁ ଡ. ସତ୍ୟ ମହାପାତ୍ର ସ୍ମାରକୀ ବୃତ୍ତି ଦିଆଯିବ ।
ପୂର୍ବାହ୍ଣ ୧୧ଟାରେ ଗୁଗୁଲ୍‍ ମିଟ୍‍ ପ୍ଲାଟ୍‍ଫର୍ମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଥମେ ‘ଓଡ଼ିଆ ସାମ୍ବାଦିକତା ଦିବସ’ ଉପରେ ୨୦୨୦-୨୧ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଏକ ଭିଡିଓ ସ୍କ୍ରିନିଂ ହେବ । ତା’ପରେ ଅର୍ଥନୈତିଜ୍ଞ ଡ. ନୀଳକଣ୍ଠ ରଥ ନିଜର ବକ୍ତବ୍ୟ ରଖିବେ । ଆଇଆଇଏମ୍‍ସି ପକ୍ଷରୁ ପ୍ରତିବର୍ଷ ଏହି ଦିନ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ ହୋଇଆସୁଛି ।

Leave a Reply