ଉଦ୍‌ଘାଟିତ ହେଲା IGH ସୁପର ସ୍ପେସିଆଲିଟି ହସ୍‌ପିଟାଲ, ରହିବ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗ

1 min read
President Ram Nath Kovind

ରାଉରକେଲା: ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ଆଇଜିଏଚ୍‌ ସୁପର ସ୍ପେସିଆଲିଟି ହସ୍‌ପିଟାଲ । ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଉରକେଲାରେ ଗସ୍ତରେ ଯାଇଥିବା ବେଳେ ସେ IGH ପରିସରରେ ନିର୍ମିତ ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ସୁପର ସ୍ପେସିଆଲିଟି ହସ୍ପିଟାଲର ଉଦ୍‌ଘାଟନ କରିଛନ୍ତି । ଏହି ସୁପର ସ୍ପେସିଆଲିଟି ହସ୍ପିଟାଲରେ ନ୍ୟୁରୋଲୋଜୀ, ନ୍ୟୁରୋ ସର୍ଜରୀ, କାର୍ଡିଓଲୋଜୀ, କାର୍ଡିଓ ଥୋରାସିକ, ଭାସ୍କୁଲାର ସର୍ଜରୀ ଓ ନେଫ୍ରୋଲୋଜୀ ବିଭାଗ କାର୍ଯ୍ୟ କରିବ । ଏଥିସହ ଏଣ୍ଡୋସ୍‌ସ୍ପୋପି, ପ୍ରାଇଭେଟ୍‌ ୱାର୍ଡ, ୩ ଟେଲ୍‌ସା ଏମ୍‌ଆର୍‌ଆଇ, ସିଟି ସ୍କାନ୍‌, ଲ୍ୟାବ୍‌, ସିଆର୍‌ଆର୍‌ଟି ମେସିନ୍‌ ସମେତ ୫ଟି ଅତ୍ୟାଧୁନିକ ଅପରେସନ୍‌ ଥିଏଟର ରହିଛି । ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣରେ ଖର୍ଚ୍ଚ ହୋଇଛି ପ୍ରାୟ ୨୯୫ କୋଟି ଟଙ୍କା । ୪୭୪୨.୬୯ ବର୍ଗ ମିଟର ଜାଗାରେ ସର୍ଭିସ ବ୍ଲକ, କିଚେନ୍‌, ମେଡିକାଲ ଷ୍ଟୋର, ପ୍ରଶାସନିକ ଅଫିସ୍‌, କର୍ମଚାରୀ ଓ ଫ୍ୟାକଲ୍‌ଟି ରୁମ୍‌ ରହିଛି । ଏଥିସହ ୫୨୮୮.୪ ବର୍ଗ ମିଟରର ଅଡିଟୋରିୟମ୍‌, ଏକାଡେମିକ୍‌ ବ୍ଳକ ମଧ୍ୟ ରହିଛି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟପାଳ ଗଣେଷୀ ଲାଲ, କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଓ ସାଂସଦ ଜୁଏଲ ଓରାମ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତି ଉଦ୍ଦେଶ୍ୟରେ ଏହି ଅତ୍ୟାଧୁନିକ ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି । ଲୋକାର୍ପଣ ହେବା ପରେ ରାଷ୍ଟ୍ରପତି ହସ୍ପିଟାଲ ପରିସର ବୁଲି ଦେଖିଛନ୍ତି ।

ଏହା ପୂର୍ବରୁ ରାଉରକେଲା ଏନ୍‌ଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ୬ ଜଣଙ୍କୁ ସ୍ୱର୍ଣ୍ଣ, ୭୦ ଜଣଙ୍କୁ ରୌପ୍ୟ, ୫ ଜଣଙ୍କୁ ଏଣ୍ଡୋମେଣ୍ଟ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ । ୫୪୪ ଜଣଙ୍କୁ ବିଟେକ୍‌ ଡିଗ୍ରୀ ମଧ୍ୟ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, କଳାର ରାଜ୍ୟ ଓଡ଼ିଶାର ପରିଚୟ କୋଣାର୍କ ମନ୍ଦିର । ପଶ୍ଚିମ ଓଡ଼ିଶାର ଗର୍ବ ଓ ଗୌରବ NIT ରାଉରକେଲା । NIT ରାଉରକେଲାରୁ ଉତ୍ତୀର୍ଣ୍ଣ ଛାତ୍ର ସାରା ଦେଶରେ କାମ କରୁଛନ୍ତି । NIT ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି କୋବିନ୍ଦ କେତେକ ପରାମର୍ଶ ଦେଇଛନ୍ତି । ସମସ୍ତେ ଚାହିଁଲେ ଜଣେ ଜଣେ ଭଲ ନାଗରିକ ହେବେ । ନିଜର ସଫଳତାକୁ କେବଳ ବସ୍ତୁ ଓ ଅର୍ଥରେ ମାପନାହିଁ । ଯାହା ସନ୍ତୋଷ ଦିଏ ସେହି କାମ କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି । ସେହିକାମ କର ଯାହାକୁ ନେଇ ପରିବାର ଗର୍ବ କରିବ ।

ଶିକ୍ଷାକ୍ଷେତ୍ରରେ ବାଳକଙ୍କ ତୁଳନାରେ ବାଳିକମାନେ ଅଧିକରୁ ଅଧିକ ପଦକ ପାଉଛନ୍ତି । ବାଳକଙ୍କୁ ଟପି ଯାଉଛନ୍ତି ବାଳିକା । କିନ୍ତୁ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ମହିଳାଙ୍କ ଭାଗୀଦାରି କମ୍ । ଟେକ୍ନିକାଲ ଏଜୁକେଶନକୁ ଅଧିକ ବାଳିକା ଆସିଲେ ଏହା ଜାତୀୟ ବିକାଶରେ ସହାୟକ ହେବ । ଉନ୍ନତ ଭାରତ ଅଭିଯାନରେ ସାମିଲ ହେବା ପାଇଁ ରାଷ୍ଟ୍ରପତି ଆହ୍ୱାନ ଦେଇଥିଲେ ।

Leave a Reply