ଅରବିନ୍ଦ କେଜ୍ରିଓ୍ବାଲ ଗିରଫ ହେଲେ କିଏ ସମ୍ଭାଳିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାୟିତ୍ବ?

ନୂଆଦିଲ୍ଲୀ: ଆଜି ଦିନ ୧୧ଟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବନ୍ଦି କେଜ୍ରିଓ୍ବାଲ । ତାଙ୍କୁ ଗିରଫ କରାଯିବା ସମ୍ଭାବନା ଅଧିକ ବୋଲି ଆଶଙ୍କା କରୁଛନ୍ତି ଆପ୍ ନେତା । ପ୍ରଶ୍ନ ଉଠୁଛି ଯଦି ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରାଯାଏ ତେବେ କିଏ ସମ୍ଭାଳିବେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଦାୟିତ୍ବ ।

ସାମ୍ବିଧାନିକ ଓ ଆଇନଗତ ବ୍ଯବସ୍ଥା ମଧ୍ଯରେ କେଜ୍ରିଓ୍ବାଲ ମୁଖ୍ଯମନ୍ତ୍ରୀ ଭାବେ ରହିବାରେ ପ୍ରତିବନ୍ଧକ ନାହିଁ । ତେବେ ଏହି କ୍ଷେତ୍ରରେ ତାଙ୍କ ନୈତିକତା ନେଇ ଉଠିପାରେ ପ୍ରଶ୍ନ । ଯଦି ସେ ଗିରଫ ହୋଇ ଜେଲରେ ରହି ମୁଖ୍ଯମନ୍ତ୍ରୀ ଦାୟିତ୍ବ ତୁଲାଇବେ ତେବେ ବିରୋଧୀ ଇଣ୍ଡିଆ ମେଣ୍ଟ ଲାଗି ବି ହୋଇପାରେ ଅଡୁଆ ।

ସାଧାରଣତଃ କୌଣସି ମୁଖ୍ଯମନ୍ତ୍ରୀ ଜେଲ ଗଲେ ସେ ଇସ୍ତଫା ଦେଇଥାନ୍ତି । ଯଦି କେଜ୍ରିଓ୍ବାଲ ଜେଲରେ ରହି ମୁଖ୍ଯମନ୍ତ୍ରୀ ଦାୟିତ୍ବ ସମ୍ଭାଳନ୍ତି ତେବେ ଅନ୍ୟମାନଙ୍କ କ୍ଷେତ୍ରରେ ବି ଏହା ଲାଗୁ ହୋଇପାରେ । ସମ୍ବିଧାନ ବିଶେଷଜ୍ଞଙ୍କ ମତରେ ଯଦି କେଜ୍ରିଓ୍ବାଲ ଜେଲରେ ରହନ୍ତି ତେବେ କ୍ଯାବିନେଟ ବୈଠକ ପରିଚାଳନା ଲାଗି ସେ ଅନ୍ୟ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇପାରନ୍ତି । ଆଇନ ଅନୁସାରେ କୌଣସି କୋର୍ଟ ଦ୍ବାରା ଯଦି ଜଣେ ନିର୍ବାଚିତ ପ୍ରତିନିଧି 2 ବର୍ଷ ବା ଅଧିକ ସମୟ ଲାଗି ଦଣ୍ଡ ପାଇବା ଲାଗି ଯୋଗ୍ୟ ହୋଇନଥାନ୍ତି ତେବେ ସେ ନିଜର ସଦସ୍ୟତା ହରାଇ ପାରିବେ ନାହିଁ ।

ବେଆଇନ ଅର୍ଥ କାରବାର ମାମଲାରେ ଗତ ୨୦୨୨ ମେ ମାସରେ ସତ୍ୟେନ୍ଦ୍ର ଜୈନ ଗିରଫ ହେବା ପରେ ବି ସେ ୨୦୨୩ ଫେବ୍ରୁଆରୀ ୨୮ ଯାଏ ମନ୍ତ୍ରୀ ଦାୟିତ୍ବରେ ଥିଲେ । ଜଣେ କର୍ତ୍ତବ୍ୟରତ ମୁଖ୍ଯମନ୍ତ୍ରୀଙ୍କୁ ଗିରଫ କରିବା ଘଟଣାର କୌଣସି ନଜିର ନାହିଁ । ବିହାରର ତତକାଳୀନ ମୁଖ୍ଯମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଗୋଖାଦ୍ଯ ଦୁର୍ନୀତି ମାମଲାରେ ଗିରଫ ପରଓ୍ବାନା ଜାରି କରିବା ପରେ ସେ ଇସ୍ତଫା ଦେଇଥିଲେ । ପରେ ତାଙ୍କ ପତ୍ନୀ ରାବଡି ଦେବୀ ମୁଖ୍ଯମନ୍ତ୍ରୀ ହୋଇଥିଲେ । ପରଦିନ ଲାଲୁଙ୍କୁ ଗିରଫ କରାଯାଇଥିଲା ।