ପଢ଼ନ୍ତୁ ଦେଶରେ କରୋନାର ସ୍ଥିତି ନେଇ କ’ଣ କହୁଛି ଆଇସିଏମ୍ଆର ରିପୋର୍ଟ
1 min readନୂଆଦିଲ୍ଲୀ: କିଛି ସପ୍ତାହ ପୂର୍ବରୁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ କରୋନା ଭାଇରସ୍କୁ ନେଇ ରେଣ୍ଡମ୍ ସେମ୍ପଲିଂ ଜରିଆରେ ଯାଞ୍ଚ ଆରମ୍ଭ କରିଥିଲା । ଏହାର ଉଦ୍ଦେଶ୍ୟ ଥିଲା କରୋନା ଭାଇରସ୍ କମ୍ୟୁନିଟି ଟ୍ରାନ୍ସମିସନ୍ ଅର୍ଥାତ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ ସେ ବିଷୟରେ ଜାଣିବା । ଆଇସିଏମ୍ଆର ପକ୍ଷରୁ ଏବେ ଯେଉଁ ରିପୋର୍ଟ ଦିଆଯାଇଛି ତାହା ଅନୁଯାୟୀ କିଛି କ୍ଳଷ୍ଟରରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଗଲାଣି ।
ଫ୍ରେବୃଆରୀ ଠାରୁ ଆରମ୍ଭ କରି ୨ ଅପ୍ରେଲ୍ ଯାଏଁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର) ୫୯୧୧ କରୋନା ସନ୍ଦିଗ୍ଧଙ୍କ ସିବିୟର୍ ଏକ୍ୟୁଟ୍ ରେସ୍ପିରେଟରୀ ଇଲ୍ନେସ୍ (SARI) କରାଇଥିଲା । ସେଥିରୁ ଜଣାପଡ଼ିଛି ଯେ, ଏମାନଙ୍କ ମଧ୍ୟରୁ ୧୦୪ ଜଣ ଅର୍ଥାତ ୧.୮ ପ୍ରତିଶତ କରୋନା ପଜିଟିଭ୍ । ଏହି ଟେଷ୍ଟ ୧୫ ରାଜ୍ୟର ୩୬ ସହରରେ କରାଯାଇଥିଲା ।
ଗୁଜୁରାଟ୍ରେ ୭୯୨ ଯାଞ୍ଚ ମାମଲା ମଧ୍ୟରୁ ୧୩ ଜଣ ଅର୍ଥାତ ୧.୬%, ତାମିଲନାଡୁରେ ୫୭୭ ମାମଲା ମଧ୍ୟରୁ ୫ଟି ମାମଲା ଅର୍ଥାତ ୦.୯%, ମହାରାଷ୍ଟ୍ରରେ ୫୫୨୩ ମାମଲା ମଧ୍ୟରୁ ୨୧ ଟି ଅର୍ଥାତ ୩.୮% ଏବଂ କେରଳାରେ ୫୦୨ଟି ମାମଲା ମଧ୍ୟରୁ ଗୋଟିଏ ଅର୍ଥାତ ୦.୨% ଏସ୍ଏଆରଆଇ ପଜିଟିଭ୍ ଆସିଛନ୍ତି ।
ଆଇସିଏମ୍ଆର ରିପୋର୍ଟ ଅନୁଯାୟୀ ଏହି ସବୁ ଜିଲ୍ଲାରେ ରାଜ୍ୟ ସରକାର ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି । କରୋନା ଭାଇରସ୍ ଯୋଗୁଁ ବଢ଼ୁଥିବା ରୋଗୀଙ୍କ ସଂଖ୍ୟାକୁ ଦେଖିଲେ ଏହି ସବୁ ଜିଲ୍ଲାକୁ ସର୍ବୋଚ୍ଚ ପ୍ରାଥମିକତାରେ ରଖିବାର ଆବଶ୍ୟକତା ରହିଛି । ଅର୍ଥାତ ଏହି ସବୁ ଅଞ୍ଚଳକୁ ସ୍ୱତନ୍ତ୍ରଭାବେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।
ଏହି ୫୯୧୧ ଟି ମାମଲା ମଧ୍ୟରୁ ଜଣେ ସିଧାସଳଖ କୋଭିଡ-୧୯ ଆକ୍ରାନ୍ତ ସହ ସମ୍ପର୍କରେ ଆସିଥିଲେ ଓ ଅନ୍ୟ ଜଣେ ଅନ୍ତର୍ଜାତୀୟ ବିମାନ ଯାତ୍ରା କରିଥିଲେ । ୫୯ ଆକ୍ରାନ୍ତଙ୍କ କୌଣସି ଇଣ୍ଟରନ୍ୟାସନାଲ୍ ଟ୍ରାଭେଲ୍ ହିଷ୍ଟ୍ରୀ ନଥିବା ସତ୍ତ୍ୱେ ଏମାନେ କରୋନା ଆକ୍ରାନ୍ତ ହୋଇଛନ୍ତି । ଅର୍ଥାତ ଏମାନେ ଦେଶ ଭିତରେ ହିଁ ସଂକ୍ରମିତ ହୋଇଛନ୍ତି ।
୧୪ ମାର୍ଚ୍ଚ ରେ ଆଇସିଏମ୍ଆରର ପ୍ରଥମ ରିପୋର୍ଟରେ କୁହାଯାଇଥିଲା ଯେ, ପୂର୍ବରୁ ଯେତେ ବି ଲୋକଙ୍କ କରୋନା ଯାଞ୍ଚ ହୋଇଥିଲା ସେମାନଙ୍କ ମଧ୍ୟରୁ କେହି ପଜିଟିଭ୍ ଚିହ୍ନଟ ହୋଇନଥିଲେ । କିନ୍ତୁ ପରେ ଯେତେବେଳେ କି ଏସ୍ଏଆରଆଇ ରିପୋର୍ଟ ପରୀକ୍ଷା ନେଇ ନିୟମ କରାଗଲା, ତା’ ପରେ ୧୫ ମାର୍ଚ୍ଚ ଠାରୁ ୨୧ ମାର୍ଚ୍ଚ ମଧ୍ୟରେ କରାଯାଇଥିଲା ୧୦୬ ରୋଗୀଙ୍କ ମଧ୍ୟରୁ ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ ।
୨୨ ମାର୍ଚ୍ଚରୁ ୨୮ ମାର୍ଚ୍ଚ ମଧ୍ୟରେ ୨୮୭୭ ରୋଗୀଙ୍କ ମଧ୍ୟରୁ ୪୮ ଜଣ ଏସ୍ଏଆରଆଇ ଟେଷ୍ଟ ପଜିଟିଭ୍ ଆସିଥିଲା । ଠିକ୍ ସେହିଭଳି ଆଇସିଏମ୍ଆର ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ୮୩.୩ ପ୍ରତିଶତ କରୋନା ପଜିଟିଭ୍ ରୋଗୀ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସର । ୮୧.୪ ପ୍ରତିଶତ ରୋଗୀ ୪୦ ବର୍ଷରୁ ଅଧିକ ।