ହାଇଦ୍ରାବାଦରେ ପ୍ରେମ ପାଇଁ ସାଙ୍ଗକୁ ବିଭତ୍ସ ହତ୍ୟା

ହାଇଦ୍ରାବାଦ: ପୁଣି ପଦାକୁ ଆସିଲା ଆଉ ଏକ ବୀଭତ୍ସ ହତ୍ୟାକାଣ୍ଡ । ତ୍ରିକୋଣୀୟ ପ୍ରେମକୁ ନେଇ ସାଙ୍ଗକୁ ମାରିଲା ସାଙ୍ଗ । କେବଳ ହତ୍ୟାକଲାନି, ମୁଣ୍ଡ କାଟିବା ସହ ହାର୍ଟକୁ ପଦାକୁ କାଢିଦେଲା ଅଭିଯୁକ୍ତ । ଘଟଣା ଘଟିଛି ତେଲଙ୍ଗାନା ହାଇଦ୍ରାବାଦ ନିକଟସ୍ଥ ପେଦାଆମ୍ବରପେଟରେ ।

ଅଭିଯୁକ୍ତ ପି. ହରି ହର କ୍ରିଷ୍ଣା ଜଣେ ଇଞ୍ଜିନିୟରିଂ ଛାତ୍ର ହୋଇଥିବା ବେଳେ ମୃତକ ଏନ. ନବୀନ ହେଉଛନ୍ତି ଜଣେ ଆଦିବାସୀ ଇଞ୍ଜିନିୟରିଂ ଛାତ୍ର। ହତ୍ୟାକାଣ୍ଡକୁ ନେଇ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା କ୍ରିଷ୍ଣା। ତଦନ୍ତରୁ ସ୍ପଷ୍ଟ ହୋଇଛି ଦିଲଖୁସ ନଗରରେ ଉଭୟ କ୍ରିଷ୍ଣା ଓ ନବୀନ ସାଙ୍ଗ ହୋଇ ପଢୁଥିଲେ। ତେବେ ଜଣେ ଝିଅ ସହ ନବୀନର ସମ୍ପର୍କ ବଢିଥିଲା। ମାତ୍ର ପରେ ସେହି ଝିଅ ସହ କ୍ରିଷ୍ଣାର ସମ୍ପର୍କ ହୋଇଥିଲା।

ଏହାକୁ ନେଇ ନବୀନକୁ ଜୀବନରୁ ହଟାଇବା ଲାଗି କ୍ରିଷ୍ଣା କରିଥିଲା ଯୋଜନା । ଗତ ୧୮ ତାରିଖରେ ନବୀନକୁ ଡାକି କ୍ରିଷ୍ଣା ମଦ ପିଇବା ସହ ତାର ବେକ ଚିପି ହତ୍ୟା କରିଥିଲା । ପରେ ନବୀନର ମୁଣ୍ଡ କାଟିଦେବା ସହ ପେଟ ଚିରି ହାର୍ଟକୁ ପଦାକୁ କାଢି ଦେଇଥିଲା । ଏହା ସହ ନବୀନର ଗୁପ୍ତାଙ୍ଗ ଓ ଅଙ୍ଗୁଳିକୁ ବି କାଟି ଦେଇଥିଲା।

ତେବେ ନବୀନ ନିଖୋଜ ହେବା ପରେ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା। ପରେ ଥାନା ନିକଟରେ ଆତ୍ମସମର୍ପଣ କରି ଭୁଲ ସ୍ବୀକାର କରିଥିଲା କ୍ରିଷ୍ଣା।