ବର୍ଷା ପୂର୍ବରୁ ଚେତାଇଲା ବିଭାଗ, ମୁକୁଳା ନରହୁ ଡ୍ରେନ୍

ଭୁବନେଶ୍ୱର: ବର୍ଷା ଦିନ ପୂର୍ବରୁ ସବୁ ପୌରାଞ୍ଚଳକୁ ସତର୍କ କଲା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ବର୍ଷା ଦିନକୁ ଦୁର୍ଘଟଣା ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ସଚିବ । ସବୁ ମୁକୁଳା ଡ୍ରେନ ଉପରେ ସ୍ଲାବ ପକାଇବା ସହ ସମ୍ବେଦନଶୀଳ ସ୍ଥାନରେ ଜାଲି ଲଗା କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଭର ଫ୍ଲୋ ହେଉଥିବା ଡ୍ରେନଗୁଡିକକୁ ନିୟମିତ ଯାଞ୍ଚ କରାଯିବ । ଅତୀତରେ ମୁକୁଳା ଡ୍ରେନରେ ପଡି ଅନେକ ମୃତାହତ ହୋଇଛନ୍ତି । ଯାହାକୁ ନେଇ ସରକାର ଅଡୁଆରେ ପଡିଛନ୍ତି ।

ତେଣୁ ପୌର ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ଏଭଳି ଅଘଟଣାକୁ ଏଡାଇବା ପାଇଁ ଆବଶ୍ୟକ ପ୍ରତିଷେଧକମୂଳକ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ବିଭାଗୀୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସହରାଞ୍ଚଳ ବନ୍ୟାରେ ଡ୍ରେନଗୁଡିକ ଯେଭଳି ମୃତ୍ୟୁଯନ୍ତା ନପାଲଟେ ସେଥିପାଇଁ ସମ୍ପୃକ୍ତ ବିଭାଗ ଏଥିପାଇଁ ଉତ୍ତରଦାୟୀ ରହିବେ । ପୌର ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ଥିବା ଡ୍ରେନ ଓ ରାସ୍ତାର ପ୍ରତ୍ୟକ୍ଷ ଯାଞ୍ଚ କରି ଜୁନ ୩୦ ସୁଦ୍ଧା ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।