ସାଇବର ଠକଙ୍କ ଟାର୍ଗେଟରେ ରଥଯାତ୍ରା, ନଜରରେ ହୋଟେଲ ଶିଳ୍ପ

ଭୁବନେଶ୍ବର: ବିପଦରେ ସରକାରୀ ଓ ବେସରକାରୀ ୱେବସାଇଟ । ହୋଟେଲ ଶିଳ୍ପ ମଧ୍ୟ ବିପଦରେ । ଆଗକୁ ରଥଯାତ୍ରା ଥିବାବେଳେ ପୁରୀ ଓ ଭୁବନେଶ୍ୱରର କିଛି ୱେବସାଇଟର ଅବିକଳ ନକଲ କରି ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ସାଇବର ଠକ ।

ରଥଯାତ୍ରା ପୂର୍ବରୁ ଆକ୍ଟିଭ ହେଲେଣି ସାଇବର ଠକ । ହୋଟେଲ ବୁକିଂ ନାଁରେ ସାଧାରଣ ଲୋକଙ୍କୁ ଠକେଇ । ପୁରୀ ପରେ ଟାର୍ଗେଟରେ ଭୁବନେଶ୍ୱରର ହୋଟେଲ । ଅବିକଳ ୱେବସାଇଟ ଡିଜାଇନ, ଅଜବ ବୁଦ୍ଧି । ଠକଙ୍କ ଜ୍ଞାନ ଆଗରେ ଯେ କେହି ବି ଧୋକ୍କା ଖାଇଯିବ । ଆଗକୁ ରଥଯାତ୍ରା ଥିବା ବେଳେ ପୁରୀରେ ପ୍ରବଳ ଜନସମାଗମ ହେବାର ଅଛି । ଦେଶ ବିଦେଶରୁ ଲକ୍ଷାଧିକ ଲୋକେ ପୁରୀ ଆସିବା ପାଇଁ ହୋଟେଲ ବୁକିଂ କରୁଛନ୍ତି ।

ଗୁଗୁଲରେ ହୋଟେଲ ସର୍ଚ୍ଚ କରିବା ବେଳେ ସାମ୍ନାକୁ ଆସୁଛି ଫେକ ୱେବସାଇଟ ।  ଟୁରିଷ୍ଟ ଯେତେବେଳେ ଗୁଗୁଲରେ ହୋଟେଲ ନାଁ ସର୍ଚ୍ଚ କରୁଛନ୍ତି, ସେତେବେଳେ ଅରିଜିନାଲ ବଦଳରେ ଡୁପ୍ଲିକେଟ ୱେବସାଇଟ ବୁକ କରି ଲକ୍ଷାଧିକ ଟଙ୍କା ହରାଉଛନ୍ତି । ଏଭଳି ଅଭିଯୋଗ ବାରମ୍ବାର ହେବା ପରେ ପୂର୍ବରୁ ହୋଟେଲ ମାଲିକ ସଂଘ ସହ ଆଲୋଚନା କରିଥିଲା କ୍ରାଇମବ୍ରାଞ୍ଚ । ହୋଟେଲର ଆଇଟିକୁ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱାରୋପ କରାଯାଇଥିଲା । ଏବେ ପୁଣି ସେହି ଘଟଣାର ପୁନରାବୃତ୍ତି ହେଉଥିବା ଦେଖାଯାଇଛି ।

କେବଳ ହୋଟେଲ ନୁହେଁ, ପୁରୀ ଓ ଭୁବନେଶ୍ୱରରେ ଥିବା ରେଷ୍ଟୁରାଣ୍ଟ ମଧ୍ୟ ସମାନ ଅବସ୍ଥା । ଅନଲାଇନ ଫୁଡ ପାଇଁ ବୁକିଂ କଲେ ଟଙ୍କା ଠକି ନେଉଛି ଅଦୃଶ୍ୟ ଠକ । ୯୦ ପ୍ରତିଶତ ସରକାରୀ ଓ ବେସରକାରୀ ୱେବସାଇଟ ହ୍ୟାକରଙ୍କ କବଜାରେ ଥିବା ଜଣାପଡିଛି । କିଛି ମାସ ତଳେ ‘ମୋ ସ୍କୁଲ’ ୱେବସାଇଟର ଅବିକଳ ନକଲ କରି ଚାକିରି ପାଇଁ ବିଜ୍ଞପ୍ତି ଦେଇ ଠକେଇ ଘଟଣା ନଜରକୁ ଆସିବା ପରେ ଗଣଶିକ୍ଷା ବିଭାଗ ସଚିବ ଥାନାରେ ଏତଲା ଦେଇଥିଲେ ।

ଏଥର ଗୋଟିଏ ଦିନରେ ଶ୍ରୀଗୁଣ୍ଡିଚା ଓ ନବ ଯୌବନ ଦର୍ଶନ ପଡୁଥିବାରୁ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପୁରୀରେ ଏକାଠି ହେବେ । ତେଣୁ ସାମାନ୍ୟ ସଚେତନ ନହେଲେ ଆପଣ ମଧ୍ୟ ହରାଇପାରନ୍ତି କଷ୍ଟ ଅର୍ଜିତ ଧନ ।