ନନ୍ଦିଘୋଷ ବ୍ୟୁରୋ :ଚମ୍ପୁଆ ରେଞ୍ଜରେ ହାତୀ ଆତଙ୍କ। ଉଖୁଣ୍ଡା ସେକ୍ସନ ବରପଦା ଗ୍ରାମରେ ୨୫ଟିକିଆ ହାତୀ ପଲ ଏକର ଏକର ଧାନ ଫସଲ ଖାଇ ମାଡ଼ି ମକଚି ମାଟିରେ ମିଶାଇ ଦେଇଛନ୍ତି । ହାତୀ ପଲରୁ ନେଇ ଆଖପାଖ ଅଞ୍ଚଳର ଚାଷୀ ଚିନ୍ତାରେ ଥିବା ସହିତ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗତକାଲି ସକାଳୁ ଏହି ୨୫ ଟିକିଆ ହାତୀ ପଲ ନିକଟସ୍ଥ ମଙ୍ଗଳ ପୁର ଗାଁ ଜଙ୍ଗଲରୁ ବାହାରି ସିଧା ଧାନ ବିଲରେ ପଶି ଯାଇଥିଲେ। ଗାଁ ଏକର ଏକର ଧାନ ଫସଲକୁ ଖାଇ ନଷ୍ଟ କରିବା ପରେ ବରପଦା ଜଙ୍ଗଲ ରେ ପଶିଥିଲେ। ଜଙ୍ଗଲରେ ଥିବା ବେଳେ ହାତୀ ଦେଖିବାକୁ ଆସିଥିବା ଏକ ଯୁବକକୁ ଆକ୍ରମଣ କରି ଆହତ ମଧ୍ୟ କରିଥିଲେ ।ବନ ବିଭାଗ ର ଚେଷ୍ଟା ଫଳରେ ଗୁରୁତର ଅବସ୍ଥାରେ ଯୁବକକୁ ଉଦ୍ଧାର କରାଯାଇ ଭଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ରାତି ରେ ଏହି ହାତୀ ପଲ ବରପଦା ଗାଁ ରେ ବ୍ୟାପକ ଫସଲ ନଷ୍ଟ କରିଥିବାରୁ ଏହି ଅଞ୍ଚଳ ର ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏକାଥରକେ ୨୫ଟି ହାତୀ କୁ ଦେଖି ଆଖପାଖ ଗ୍ରାମର ଲୋକେ ଭୟରେ ଘରୁ ବାହାରିବାକୁ ଡରୁଛନ୍ତି।
ହାତୀ ପଲ ମଧ୍ୟରେ ୩ଟି ଦନ୍ତା, ୧୨ ଟି ମାଈ ହାତୀ ଥିବା ବେଳେ ଛୁଆ ୧୦ ଟି ଥିବା ଜଣାପଡିଛି l ବନ ବିଭାଗ ହାତୀ ପଲର ଗତିବିଧି ଉପରେ କଡା ନଜର ରଖିଛି। ହାତୀଙ୍କୁ ଜଙ୍ଗଲକୁ ଘଉଡାଇବାକୁ ଚେଷ୍ଟା ଚାଲିଛି। ହାତୀ ପାଖକୁ ନଯିବା ସହ, ହାତୀ ପଲଙ୍କୁ ବିଚଳିତ ନକରିବା ପାଇଁ ବନ ବିଭାଗ ସର୍ତକ କରୁଥିବା ଦେଖାଯାଇଛି ।

