କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶାକୁ ଜାତୀୟ ପୁରସ୍କାର

1 min read

ନନ୍ଦିଘୋଷ ବ୍ୟୁରୋ: ପୁଣି ଓଡ଼ିଶାକୁ ଜାତୀୟ ପୁରସ୍କାର  । ମୁମ୍ବାଇରେ ସମ୍ମାନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସ୍ପୋର୍ଟ୍ସ ଷ୍ଟାର ପକ୍ଷରୁ ଓଡିଶାକୁ ମିଳୁଛି ପୁରସ୍କାର  । କ୍ରୀଡ଼ାର ପ୍ରୋତ୍ସାହନ ଓ ପ୍ରଚାର ପ୍ରସାର ଦିଗରେ  ଯେଉଁଭଳି ଅଗ୍ରଗତି ଘଟିଛି ତାହା ଉଲ୍ଲେଖନୀୟ  । ଅନ୍ୟ ରାଜ୍ୟ ପାଇଁ ଓଡ଼ିଶା ପାଲଟିଛି ଉଦାହରଣ  । କ୍ରୀଡ଼ା ଠାରୁ କ୍ରୀଡାବିତ ସଭିଙ୍କ ବିକାଶ ଦିଗରେ ଓଡିଶା ପାଲଟିଛି ରୋଲ ମଡେଲ  । ହକି ବିଶ୍ୱକପ ଠାରୁ ବିଭିନ୍ନ କ୍ରୀଡାର କ୍ୟାପିଟାଲ ଏବେ ଓଡିଶା  ।

କ୍ରୀଡା କ୍ଷେତ୍ରରେ ଏଭଳି ବୈପ୍ଲବିକ ପରିବର୍ତ୍ତନ ପାଇଁ ଓଡିଶା ସାଜିଛି ଉଦାହରଣ  । ସମସ୍ତ ଦୃଷ୍ଟିକୋଣକୁ ପରିଲିଖିତ କରି ସ୍ପୋର୍ଟ୍ସ ଷ୍ଟାର ପକ୍ଷରୁ ଓଡିଶାକୁ ମିଳିବାକୁ ଯାଉଛି ଏହି ସମ୍ମାନ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉକ୍ତ ଅନୁଷ୍ଠାନ ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି  । ଏକ ଭବ୍ୟ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ମୁମ୍ବାଇ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ  ।

ଓଡ଼ିଶାରେ ସଫଳ ଆୟୋଜନ ପରେ ଜାତୀୟ ସ୍ତରରେ ପ୍ରଶଂସା ଓ ପୁରସ୍କାର । କ୍ରୀଡ଼ାର ବିକାଶ ପାଇଁ ଲଗାତର ଚତୁର୍ଥ ଥର ପାଇଁ ଓଡ଼ିଶା ହାତେଇବ ସ୍ପୋର୍ଟ୍ସ ଷ୍ଟାର ଆସେସ ଆଓ୍ବାର୍ଡ-୨୦୨୩ । ମୁମ୍ବାଇଠାରେ ସ୍ପୋର୍ଟ୍ସ ଷ୍ଟାର ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିବେ। ଦେଶର ବିଶିଷ୍ଟ ଖେଳାଳିଙ୍କ ଗହଣରେ ଏହି ପୁରସ୍କାର ଉତ୍ସବ ଅନୁଷ୍ଠିତ ହେଉଛି । କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାର ଗ୍ରହଣ କରୁଥିବା ବିଭିନ୍ନ ପଦକ୍ଷେପର ଫଳ ସ୍ବରୂପ ଜାତୀୟ ସ୍ତରରେ ସମ୍ମାନିତ ହେବାକୁ ଯାଉଛି ଓଡ଼ିଶା । କ୍ରୀଡାର ବିକାଶ ସାଙ୍ଗକୁ ଭିତ୍ତିଭୂମିର ବିକାଶ, ବିଶ୍ବସ୍ତରୀୟ ତାଲିମ ଓ ପ୍ରତିଭାବାନ୍ କ୍ରୀଡିବିତଙ୍କୁ ପ୍ରୋତ୍ସାହନ ଭଳି ଯୋଜନା ଦେଶର ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି ।

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଖେଳାଳିମାନେ ଅନେକ ପଦକ ଜିତି ଦେଶ ପାଇଁ ସମ୍ମାନ ଆଣିଛନ୍ତି । ନିକଟରେ ଭୁବନେଶ୍ବର ଓ ରାଉରକେଲାରେ ପୁରୁଷ ହକି ବିଶ୍ବକପ ସଫଳତାର ସହ ଆୟୋଜନ କରି ବିଶ୍ବରେ ଚର୍ଚ୍ଚାକୁ ଆସିଛି ଓଡ଼ିଶା । ୨୦୨୨ରେ ଓଡ଼ିଶା ଓପନ, SAAF ଅଣ୍ଡର ଟ୍ବେଣ୍ଟି ଚାମ୍ପିୟନସିପ, ଫିଫା ଅଣ୍ଡର ଥାର୍ଟିନ୍ ମହିଳା ବିଶ୍ବକପ, ଫିଫା-୨୦୨୨, FIH ହକି ପ୍ରୋ ଲିଗ ଭଳି ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରିଛି ଓଡ଼ିଶା । ସେହିପରି ଇଣ୍ଡିଆନ ଓମେନ୍ସ ଲିଗ୍, ଆକ୍ବାଟିକ୍ ଜୁନିଅର ନ୍ୟାସନାଲସ, ସିନିଅର ନ୍ୟାସନାଲ ଓ୍ବେଟଲିଫ୍ଟିଂ ଚାମ୍ପିଅନସିପ, ପାରା ଆଥଲେଟିକ ଚାମ୍ପିଅନସିପ ଏବଂ ପାରା ବ୍ୟାଡମିଣ୍ଟନ ନ୍ୟାସନାଲସ ଟୁର୍ଣ୍ଣାମେଣ୍ଟ ଓଡ଼ିଶା ମାଟିରେ ସଫଳତାର ସହ ଖେଳାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ସରକାର କ୍ରୀଡ଼ାର ବିକାଶ କ୍ଷେତ୍ରରେ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛନ୍ତି ।

ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମକୁ ଏକ ମେଗା ସ୍ପୋର୍ଟ କମ୍ପ୍ଲେକ୍ସ ଭାବେ ବିକଶିତ କରାଯାଇଛି । ଦେଶର ପ୍ରଥମ ଇନଡୋର୍ ଆଥଲେଟିକ୍ ସେଣ୍ଟର ସହ ହକି ପାଇଁ ହାଇପରଫରମାନ୍ସ ସେଣ୍ଟର, ବ୍ୟାଡମିଣ୍ଟର କୋର୍ଟ, ବିସ୍ତୃତ ସ୍ପୋର୍ଟ୍ସ ସାଇନ୍ସ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଆଗାମୀ ଦିନରେ ଦେଶ ପାଇଁ କଳିଙ୍ଗ ସ୍ପୋର୍ଟ୍ସ କଂପ୍ଲେକ୍ସ ଚମ୍ପିଆନ୍ ସୃଷ୍ଟି କରିବ । ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ଭାବେ ଗିନିଜ ବୁକ ଅଫ ଓ୍ବାଲଡ ରେକର୍ଡରେ ସ୍ଥାନ ପାଇଛି । ବିର୍ସାମୁଣ୍ଡା ଷ୍ଟାଡିୟମର ନିର୍ମାଣ ମାତ୍ର ୧୫ ମାସ ଭିତରେ ସଂପୂର୍ଣ୍ଣ କରାଯାଇଥିଲା । ଅଲିମ୍ପିକ୍ ଢାଞ୍ଚାରେ ଏଠାରେ ୨୨୫ଟି ଫାଇଭ୍ ଷ୍ଟାର ରୁମ୍ ଥିବା ହକି ଭିଲେଜ୍ ପ୍ରତିଷ୍ଠା କରାଯାଇଛି । କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାର ସହରାଞ୍ଚଳରେ ୯୦ଟି ବହୁମୁଖୀ ଇନଡୋର ହଲ ନିର୍ମାଣ କରିଛନ୍ତି । କେବଳ ହକି ନୁହେଁ ସନ୍ତରଣ ଓ ଫୁଟବଲ୍ ତାଲିମ ପାଇଁ ମଧ୍ୟ ସ୍ପୋର୍ଟ୍ସ କଂପ୍ଲେକ୍ସ ନିର୍ମାଣ କରାଯାଇଛି ।