ଶ୍ରାବଣର ପ୍ରଥମ ସୋମବାରରେ ଚଳଚଞ୍ଚଳ ଶୈବପୀଠ, ମନ୍ଦିରରେ କାଉଡ଼ିଆଙ୍କ ଭିଡ଼

ଭୁବନେଶ୍ୱର : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଚଳଚଞ୍ଚଳ ସମସ୍ତ ଶୈବପୀଠ । ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ । ସକାଳୁ ସକାଳୁ ଶୈବପୀଠରେ ମନସ୍କାମନା ପୂରଣ ଲାଗି ଜଳାଭିଷେକ କରୁଛନ୍ତି ଶ୍ରଦ୍ଧାଳୁ । ଭୁବନେଶ୍ବରର ଲିଙ୍ଗରାଜ, ପୁରୀର ଲୋକନାଥ, ନୟାଗଡର ଲଡୁବାବା, ଢେଙ୍କାନାଳର କପିଳାଶ ମନ୍ଦିର ସମେତ ଅନ୍ଯାନ୍ଯ ଶୈବପୀଠରେ ଶ୍ରଦ୍ଧାଳୁ ପାଣି ଢାଳୁଛନ୍ତି ।

ଚଳିତବର୍ଷ ମୋଟ ୫ ପାଳିରେ କାଉଡ଼ିଆ ବ୍ରତ ପାଳନ କରିବେ । ଶୃଙ୍ଖଳିତ ଜଳଲାଗି ପାଇଁ ପୋଲିସ୍ ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । କାଉଡ଼ିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ଅପ୍ରୀତିକର ପରିସ୍ଥିତିକୁ ରୋକିବା ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ଲିଙ୍ଗରାଜ ମନ୍ଦିର ଓ ଅନ୍ୟ ୨୬ ଟି ସ୍ଥାନରେ ୨ ଜଣ ଅତିରିକ୍ତ ଡିସିପି, ୪ ଜଣ ଏସିପି, ୬ ଇନ୍ସପେକ୍ଟର, ୩୦ ସବଇନ୍ସପେକ୍ଟର ଓ ଏଏସଆଇଙ୍କ ସହ ମୋଟ ୧୫ ସେକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ଦୁର୍ଘଟଣା ରୋକିବା ସହ ଆଶୁ ଚିକିତ୍ସା ପାଇଁ ଛକ ମାନଙ୍କରେ ଫାଷ୍ଟଏଡ଼ ଓ ମୋବାଇଲ ମେଡ଼ିକାଲ ୟୁନିଟ ରହିଛି ।