ଓଡ଼ିଶାରେ ହକି ପରିଚାଳନା ପାଇଁ ହକି ଇଣ୍ଡିଆ ତିନିଜଣିଆ ଆଡ୍‌ହକ୍‌ କମିଟି ଗଠନ କରିବ

ଭୁବନେଶ୍ୱର: ଓଡ଼ିଶାରେ ହକି ପରିଚାଳନା ପାଇଁ ହକି ଇଣ୍ଡିଆ ତିନିଜଣିଆ ଆଡ୍‌ହକ୍‌ କମିଟି ଗଠନ କରିବ । କମିଟିରେ ଏବେ ହକି ଇଣ୍ଡିଆର ଉପସଭାପତି ଭୋଳାନାଥ ସିଂହ ଅଧ୍ୟକ୍ଷ ଥିବାବେଳେ ଅଲିମ୍ପିଆନ ଦିଲୀପ ତିର୍କି କ୍ରୀଡ଼ାବିତ୍‌ଙ୍କୁ ପ୍ରତିନିଧିତ୍ବ କରୁଛନ୍ତି। କମିଟିର ତୃତୀୟ ସଦସ୍ୟ ଭାବେ ଓଡ଼ିଶା ଅଲିମ୍ପିକ ସଂଘର ‌ଜଣେ ପ୍ରତିନିଧିଙ୍କୁ ନିଆଯିବ। ଏଥିପାଇଁ ଜଣେ ପ୍ରତିନିଧିଙ୍କ ନାମ ପଠାଇବାକୁ ହକି ଇଣ୍ଡିଆ ପକ୍ଷରୁ ରାଜ୍ୟ ଅଲିମ୍ପିକ ସଂଘକୁ ଅନୁରୋଧ କରାଯାଇଛି। ରାଜ୍ୟରେ ହକି ଖେଳର ପରିଚାଳନା ପାଇଁ ପୂର୍ବରୁ ଥିବା ସ୍ବୀକୃତିପ୍ରାପ୍ତ ସଂଗଠନ ହକି ଓଡ଼ିଶାରେ ଦୀର୍ଘ ଦିନ ଧରି ଅନିୟମିତତା ଚାଲିଥିବା ସର୍ବଭାରତୀୟ ସଂଘ ନିକଟରେ ଅଭିଯୋଗ ହୋଇଥିଲା। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ହକି ଓଡ଼ିଶାକୁ ଏକାଧିକ ଥର ଚିଠି ଲେଖାଯାଇ ଜବାବ ଲୋଡ଼ାଯାଇଥିଲା। କିନ୍ତୁ ହକି ଓଡ଼ିଶାର ପ୍ରତିକ୍ରିୟା ମିଳୁନଥିବାରୁ ଶେଷରେ ଓଡ଼ିଶାର ହକି ପରିଚାଳନା ଦାୟିତ୍ବ ଆଡ୍‌ହକ୍‌ କମିଟି ହାତରେ ଛାଡ଼ିବାକୁ ସର୍ବଭାରତୀୟ ସଂଘ ନିଷ୍ପତ୍ତି ନେଇଛି।

Leave a Reply