ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ସଫଳ: ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପରେ ପହଞ୍ଚିଲା ହୀରାକୁଦର ପାଣି

ସମ୍ବଲପୁର: କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରଗଡ଼ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପରେ ପହଞ୍ଚିଲା ହୀରାକୁଦର ପାଣି । ଏଣିକି ବରଗଡ ଓ ସୁବର୍ଣ୍ଣପୁରର ଜିଲ୍ଲାର ଡୁଙ୍ଗୁରୁପାଲି ବ୍ଲକର ଚାଷୀ ପାଇବେ ପାଣି । ୩ ଦିନରେ ଚାଷୀଙ୍କ ଜମିରେ ପହଞ୍ଚିବ ପାଣି ।

ସଫଳ ହେଲା ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ । କ୍ଷେତକୁ ମାଡ଼ିବ ପାଣି, ଚାଷୀ ମୁହଁରେ ଖେଳିବ ହସ । କେବଳ ବର୍ଷା ଉପରେ ଆଉ ଚାଷୀକୁ ନିର୍ଭର କରିବାକୁ ପଡ଼ିବ ନାହିଁ । ଖୁବଶୀଘ୍ର ଲୋକାର୍ପଣ ହେବ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ । ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ବରଗଡ଼ ଓ ଏହାର ନିକଟବର୍ତ୍ତୀ ଜିଲ୍ଲାର ଜମି ଜଳସେଚିତ ହେବ । ଏହି ପ୍ରକଳ୍ପ ଦ୍ବାରା ବିଶେଷ କରି ଅଣଜଳସେଚିତ ସୋହେଲା ଓ ବିଜେପୁର ବ୍ଲକ ବେଶ ଲାଭବାନ ହେବ । ଚାଷୀମାନେ ଖରିଫ ସହ ରବି ଚାଷ ପାଇଁ ଜଳସେଚନର ସୁବିଧା ପାଇପାରିବେ । ବିଶେଷ କରି ଡାଲି ଜାତୀୟ ତଥା ତୈଳବୀଜ ସହ ଅନ୍ୟାନ୍ୟ ଫସଲ କରି ଚାଷୀମାନେ ସ୍ବାବଲମ୍ବୀ ହୋଇପାରିବେ ।

ଗଙ୍ଗାଧର ମେହେର ଉଠା ଜନସେଚନ ପାଇଁ ମୋଟ ୧୬୭୧ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଥିଲେ ରାଜ୍ୟ ସରକାର । ଏଥି ମଧ୍ୟରୁ ୩୮୧ କୋଟି ଟଙ୍କା ହୀରାକୁଦର ଜିରୋ ଆରଡିରୁ ତୁରୁଙ୍ଗା ପର୍ଯ୍ୟନ୍ତ କାର୍ଯ୍ୟ କରାଯାଇଥିବା ବେଳେ, ତୁରୁଙ୍ଗାରୁ ସମଗ୍ର ପ୍ରକଳ୍ପ ପାଇଁ ୧୨୯୦ କୋଟି ଟଙ୍କା ବ୍ୟୟ କରାଯାଇଛି । ଏହି ପ୍ରକଳ୍ପ ଦ୍ବାରା ୨୦ କ୍ୟୁମେକ୍ସ ଜଳଯୋଗାଣ ହୋଇପାରିବ । ପାଇପ ଲାଇନ ଜଳସେଚନରେ ଏହା ଦେଶର ସର୍ବବୃହତ ପ୍ରକଳ୍ପ ଭାବେ ଉଭା ହେବାକୁ ଯାଉଛି । ଏହି ପ୍ରକଳ୍ପ ଦ୍ବାରା ୪ଟି ବ୍ଲକର ୧୨୯ ଗାଁର ପ୍ରାୟ ୨୫ ହଜାର ୬୦୦ ହେକ୍ଟର ଜମି ଜଳସେଚିତ ହେବ । ଗଙ୍ଗାଧର ମେହେର ଉଠା ଜନସେଚନ ପ୍ରକଳ୍ପ ବରଗଡ଼ ଜିଲ୍ଲା ପାଇଁ ଆଉ ଏକ ସବୁଜ କ୍ରାନ୍ତି ଆଣିବାକୁ ଯାଉଛି ।