ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ଏକାଧିକ ପ୍ଲଟ ନେବା ଉପରେ ରୋକ ଲଗାଇଲେ ହାଇକୋର୍ଟ

କଟକ: ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଏକାଧିକ ପ୍ଲଟ ନେବା ଉପରେ ରୋକ ଲଗାଇଲେ ହାଇକୋର୍ଟ । ଜଣେ ବ୍ୟକ୍ତି ସେକୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଗୋଟିଏ ପ୍ଲଟ ନେଇପାରିବେ । ଏହି ନିୟମ ତୁରନ୍ତ ମହାଧିବକ୍ତାଙ୍କ ମାଧ୍ୟମରେ ଗୃହ ଓ ନଗର ଉନ୍ନୟନ ବିଭାଗ, ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ବିଡିଏର ଜଣେ ଅବସରପ୍ରାପ୍ତ କର୍ମଚାରୀ ସରୋଜ ମଲ୍ଲିକ ବିଡିଏରୁ କର୍ମଚାରୀ ଇଚ୍ଛାଧୀନ କୋଟା ସହିତ ଭିନ୍ନ ଭିନ୍ନ ତରିକାରେ 3ଟି ପ୍ଲଟ ହଟେଇ ଥିଲେ ।

ତେବେ କର୍ମଚାରୀ କୋଟାରେ ମିଳିଥିବା ପ୍ଲଟଟିକୁ ବିଡିଏ ବାତିଲ କରିଦେଇଥିଲେ । ଏହାକୁ ଚ୍ୟଲେଞ୍ଜ କରି ସରୋଜ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ବିଡିଏ ପକ୍ଷରୁ ଦୟାନନ୍ଦ ମହାପାତ୍ର କେସ ପରିଚାଳନା କରୁଥିଲେ । ଏକାଧିକ ପ୍ଲଟ ନେଇ ଏହାକୁ ବ୍ୟବସାୟୀକରଣ କରାଯାଉଛି । ଫଳରେ ପ୍ରକୃତ ହିତାଧିକାରୀ ସାଧାରଣ ଲୋକ ପ୍ଲଟ କିମ୍ବା ଘର ଟିଏ କୌଣସି ଉନ୍ନୟନ କତୃପକ୍ଷଙ୍କ ଠାରୁ ପାଇବାରେ ବଂଚିତ ହେଉଛନ୍ତି । କୋର୍ଟ ଏହାକୁ ଗ୍ରହଣ କରି ସରୋଜଙ୍କ ଆବେଦନ ଖାରଜ କରିବା ସହିତ ଏହି ନିର୍ଦେଶ ସରକାରକୁ ଦେଇଛନ୍ତି ।