ଲଘୁଚାପଜନିତ ବର୍ଷାର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଲଘୁଚାପଜନିତ ବର୍ଷାର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା। ରାଜୀବ ଭବନରେ ଏସଆରସି ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥିତିର ସମୀକ୍ଷା କରିବା ସହ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି। ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡରେ ମୁତୟନ ହୋଇଛନ୍ତି ୬ ଏନଡିଆରଏଫ ଟିମ।
ସେପଟେ ବର୍ଷା ପ୍ରଭାବିତ ଅଞ୍ଚଳକୁ ୧୮ଟି ଓଡ୍ରାଫ ଟିମ୍ ପଠାଯିବ। ମାଲକାନଗିରିକୁ ୬, କୋରାପୁଟ, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, ବୌଦ୍ଧ ଓ ବଲାଙ୍ଗୀରକୁ ୨ଟି ଲେଖାଏଁ ଟିମ ପଠାଯିବ। ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ଏସଆରସିଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। କୋରାପୁଟର ୬ ବ୍ଲକ ପ୍ରଭାବିତ ହୋଇଥିବାବେଳେ ୩୬ଟି ଗାଁ ପ୍ରଭାବିତ ହୋଇଛି। ୧୫୦ ଘର ଆଂଶିକ ପ୍ରଭାବିତ ହୋଇଛି। ମାଲକାନଗିରି ଜିଲ୍ଲାର ସବୁ ବ୍ଲକରେ ଗୋଟିଏ ଲେଖାଏଁ ଅଗ୍ନିଶମ ବାହିନୀ ଟିମ ନିୟୋଜିତ ହୋଇଛନ୍ତି। ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତି। ସମସ୍ତ ଫିଲ୍ଡ଼ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନୀୟ ଲୋକାଲ ବଡି ପ୍ରଶାସନକୁ ଜଳ ନିଷ୍କାସନ ତୁରନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ୱରରେ ୩୦ ପମ୍ପ, କଟକ ଓ ପୁରୀରେ ୧୦ଟି ଲେଖାଏଁ ପମ୍ପ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥିତି ଉପରେ ନଜର ରଖିବାକୁ ଇଂଜିନିୟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରମୁଖ ସଚିବ ସାମାଜିକ ସୁରକ୍ଷା ବିଷ୍ଣୁପଦ ସେଠୀ ଓ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କୁ ମାଲକାନଗିରି ପଠାଯିବ। ସେହିପରି ପୋଲିସ ଡିଆଇଜି ଚରଣ ସିଂ ମୀନା ଯିବେ କୋରାପୁଟ ।