ବର୍ଷା ଆଣିପାରେ ବନ୍ୟା: ଆହୁରି ୨୪ ଘଣ୍ଟା ବର୍ଷିବା ନେଇ ପୂର୍ବାନୁମାନ

୪୮ ଘଣ୍ଟା ହେବ ଲାଗିରହିଛି ବର୍ଷା। ଲଘୁଚାପ ଜନିତ ଲଗାଣ ବର୍ଷାରେ ଅଧା ଓଡ଼ିଶା ପ୍ରଭାବିତ ହୋଇପଡିଛି। ଗମନାଗମନ ଏକପ୍ରକାର ଠପ୍‌ ହୋଇଯାଇଛି। ପ୍ରବଳ ବର୍ଷାରେ ବେହାଲ ହେଲେଣୀ ଲୋକେ  । ସେ ଗାଁ ହେଉ କି ସହର ସବୁଆଡେ ଖାଲି ପାଣି । ତୁହାକୁ ତୁହାକୁ ବର୍ଷା ହୋଇ ଛାଡ଼ି ଯାଉଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ବିଭିନ୍ନ ଜାଗାରେ ପାଣି ଜମି ରହିଛି ସେ ସ୍ମାର୍ଟ ସିଟି ହେଉ କି ସିଲଭର ସିଟି ସବୁ ଏବେ ପାଣି ଘେରରେ  ।

ଦକ୍ଷିଣ ଓଡ଼ିଶା‌ରେ ରେଳ ସେବା ପ୍ରଭାବିତ ହୋଇଥିବା ବେଳେ ସଡ଼କ ପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ତେବେ ଏଭଳି ସ୍ଥିତି ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗିରହିବ। ତାହାକୁ ଦୃଷ୍ଟିରେ ରଖି ଶୁକ୍ରବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଢେଙ୍କାନାଳ, କେନ୍ଦୁଝର, କଟକ, ଖୋର୍ଦ୍ଧା , ପୁରୀ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି।

ଲଗାଣ ବର୍ଷା ଯୋଗୁଁ ୮ରୁ ଅଧିକ ଜିଲ୍ଲା ପ୍ରଭାବିତ ହୋଇଛି। ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ ପାହାଡ଼ ଧସିବାରୁ ୨୦ଟି ଘର କ୍ଷତିଗ୍ରସ୍ତ ହୋଇଛି। ଶତାଧିକ ଗାଈଗୋରୁଙ୍କର ମୃତ୍ୟୁ ଘଟିଛି। ଲଗାଣ ବର୍ଷାରେ କଟକ ଖପୁରିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି ।

ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାସ୍ତା ଧୋଇଯାଇଥିବା ବେଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ଶହ ଶହ ଏକର ଧାନ ଜମିରେ ବର୍ଷା ପାଣି ଢେଉ ଖେଳୁଛି। କୋଣାର୍କ ମନ୍ଦିର ଭିତରେ ପାଣି ଜମି ରହିବା ଦ୍ବାରା ପର୍ଯ୍ୟଟକ ଏହି ବିଶ୍ବ ଐତିହ୍ୟ ସ୍ଥଳ ବୁଲି ନ ପାରି ଫେରିଯାଇଛନ୍ତି। କଟକ, ପୁରୀ, ଭୁବନେଶ୍ୱର ପରି ସହର ତଳି ଅଞ୍ଚଳରେ ପାଣି ଜମି ରହିଛି ।ବର୍ତ୍ତମାନ ଲୋକେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି  ।

ସମ୍ଭାବ୍ୟ ଅତିପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଶୁକ୍ରବାର ୧୦ଟି ଜିଲ୍ଲାର ସ୍କୁଲ ଓ ଅଙ୍ଗନବାଡିକୁ ଛୁଟି ଘୋଷଣା କରାଯାଇଛି। ଖୋର୍ଦ୍ଧା ସମେତ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଢେଙ୍କାନାଳ, ଗଞ୍ଜାମ, ଭଦ୍ରକ, ବାଲେଶ୍ବର, ‌ପୁରୀ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ବନ୍ଦ ରହିବ ବୋଲି ସୂଚନା ମିଳିଛି।

ତେବେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲା ଯଥା ପୁରୀରେ ୧୩୮.୩ ମିମି, ଗଞ୍ଜାମରେ ୧୨୫.୨ମିମି, ଖୋର୍ଦ୍ଧାରେ ୧୦୫.୭ମିମି, ଗଜପତିରେ ୧୦୦.୬ମିମି ଓ ଜଗତସିଂହପୁରରେ ୧୦୦ମିମି ବର୍ଷା ରେକର୍ଡ କରାଯାଇଛି। ')}

Leave a Reply