ସମ୍ବଲପୁରରେ କଟକଣାରେ ହେବ ହନୁମାନ ଜୟନ୍ତୀ, ସହରରେ ୪୨ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ

ସମ୍ବଲପୁର: ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ ରାଲିରେ ପୋଲିସ ଉପରକୁ ଆକ୍ରମଣ ଘଟଣାର ତଦନ୍ତ ଜାରି । ସମ୍ବଲପୁର ଡିଆରଡିଏ ହଲରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଶାନ୍ତି କମିଟି ବୈଠକରେ ସହରର ବିଭିନ୍ନ କମିଟି ଯୋଗ ଦେଇଥିବାବେଳେ ହନୁମାନ ଜୟନ୍ତୀ ସମନ୍ବୟ ସମିତି ବର୍ଜନ କରିଥିଲା । ଏହାପରେ ସହରରେ ପୋଲିସର ଫ୍ଲାଗମାର୍ଚ୍ଚ କରାଯାଇଛି । ଆସନ୍ତାକାଲି କଟକଣା ମଧ୍ୟରେ ଶୋଭାଯାତ୍ରା ବାହାରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଉତ୍ତରାଞ୍ଚଳ ଡିଆଜିଙ୍କ ନେତୃତ୍ବରରେ ସହରରେ ୪୨ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ଜଣେ ଏସପି, ୯ଜଣ ଏଏସପି, ୨୭ ଜଣ ଡିଏସପି ମୁତୟନ ରହିବେ ।

ସିସିଟିଭି ଓ ଡ୍ରୋନ୍ ମାଧ୍ୟମରେ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଉପରେ ପୋଲିସ ନଜର ରଖିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୪୩ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ଗତକାଲି ବାଇକ ଶୋଭାଯାତ୍ରା ବେଳେ ପଥରମାଡ଼କୁ ନେଇ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ ୩୬ ଘଣ୍ଟିଆ ସମ୍ବଲପୁର ବନ୍ଦ ପାଇଁ ଆହ୍ବାନ ଦେଇଛି ହନୁମାନ ଜୟନ୍ତୀ ସମନ୍ବୟ ସମିତି । ଆଜି ଅପରାହ୍ଣ ୩ଟାରୁ ଆସନ୍ତାକାଲି ସଂଧ୍ୟା ୬ଟା ପର୍ଯ୍ୟନ୍ତ ସମ୍ବଲପୁର ବନ୍ଦ ରଖିବାକୁ ଆହ୍ବାନ ଦେଇଛନ୍ତି ହନୁମାନ ଜୟନ୍ତୀ ସମନ୍ବୟ ସମିତିର ସଭାପତି ରାଜକୁମାର ବଡ଼ପଣ୍ଡା ।