ହାତୀଙ୍କ ସୁରକ୍ଷା ପାଇଁ ଝୁଲନ୍ତା ସୌର ବିଦ୍ୟୁତ୍ ବାଡ଼

କେନ୍ଦୁଝର: ହାତୀ ସୁରକ୍ଷା ପାଇଁ ଓଡ଼ିଶାରେ ପ୍ରଥମ ଥର ପାଇଁ ଲାଗିଲା ଝୁଲନ୍ତା ସୌର ବିଦ୍ୟୁତ ବାଡ଼ । କେନ୍ଦୁଝର ଜିଲ୍ଲା ଯୋଡ଼ାରେ ବିଦ୍ୟୁତ୍ ବାଡ଼ ସ୍ଥାପନ କରାଯାଇଛି । ବନ୍ୟପ୍ରାଣୀ ସପ୍ତାହ ପାଳନର ଶେଷ ଦିନରେ କେନ୍ଦୁଝର ଡିଏଫଓ ଧନରାଜ ହନୁମନ୍ତ ଓ ଯୋଡ଼ା ବ୍ଲକ୍ ଚେୟାରମ୍ୟାନ କବିନ୍ଦ୍ର ନାଏକ ଏହାକୁ ଉଦଘାଟନ କରିଛନ୍ତି ।

କ୍ରେଚ୍ ହଟିଂ ଠାରୁ ବେହେରା ହଟିଂ ପର୍ଯ୍ୟନ୍ତ ରେଳ ଧାରଣାର ଉଭୟ ପାର୍ଶ୍ବରେ ୭୫୦ ମିଟରର ଝୁଲନ୍ତା ସୌର ବିଦ୍ୟୁତ୍ ବାଡ଼ ଲଗାଯାଇଛି । ଏଥିପାଇଁ ବନ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଝୁଲନ୍ତା ତାରରେ ୧୦ ହଜାର ଭୋଲ୍ଟର ବିଦ୍ୟୁତ୍ କରେଣ୍ଟ ସଂଚାର ହେବ । ଏହି କରେଣ୍ଟ ସଂସ୍ପର୍ଶରେ ହାତୀ କିମ୍ବା ଅନ୍ୟ ବନ୍ୟ ଜନ୍ତୁ ଆସିଲେ ମାତ୍ର କିଛି ସେକେଣ୍ଡ ପାଇଁ ବିଦ୍ୟୁତ୍ ଝଟକା ଲାଗିବ । ବିଦ୍ୟୁତ୍ ଆଘାତରେ ଜନ୍ତୁଙ୍କ ମୃତ୍ୟୁ ହେବ ନାହିଁ ।

ହାତୀପଲ ରେଳ ଧାରଣା ଅତିକ୍ରମ କରିବାକୁ ଚେଷ୍ଟା କଲେ ଝୁଲନ୍ତା ସୌର ବିଦ୍ୟୁତ ବାଡ଼ ଦ୍ବାରା ବନ୍ୟଜନ୍ତୁଙ୍କୁ ବିଦ୍ୟୁତ୍ ଝଟକା ଲାଗିବ । ଫଳରେ ସେମାନେ ନିଜକୁ ଅସୁରକ୍ଷିତ ମଣି ଟ୍ରେନ ଲାଇନ ଅତିକ୍ରମ କରିବେ ନାହିଁ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।