କୋଲକାତାରେ କେକେଙ୍କୁ ଦିଆଗଲେ ରାଷ୍ଟ୍ରୀୟ ମର୍ଯ୍ୟାଦା

1 min read

କୋଲକାତା: ବଲିଉଡର ଲୋକପ୍ରିୟ ଗାୟକ କ୍ରିଷ୍ଣାକୁମାର କୁନ୍ନାଥ ବା କେକେଙ୍କ ବିୟୋଗରେ ସଂଗୀତ ଜଗତ ସ୍ବବ୍ଧ ହୋଇଯାଇଛି। ମାତ୍ର ୫୩ ବର୍ଷ ବୟସରେ ଏହି ଲୋକପ୍ରିୟ ଗାୟକଙ୍କ ଅକାଳ ମୃତ୍ୟୁ ହୋଇଛି। କୋଲକାତାରେ ସଂଗୀତ ପରିବେଷଣ କରୁଥିବା ବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ। ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଆଜି କୋଲକାତାର ରବିନ୍ଦ୍ର ସଦନରେ ତାଙ୍କୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏଥିସହ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ମଧ୍ଯ ଦିଆଯାଇଛି।

ଜଣାଇଦେବାକୁ ଚାହୁଁ ଯେ କେକଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଉଥିଲା। କିନ୍ତୁ ତାଙ୍କ ଓଠ ଓ ମୁଣ୍ଡରେ କ୍ଷତ ଚିହ୍ନ ଥିବା ଅଭିଯୋଗ ହୋଇଛି। ଅପମୃତ୍ୟୁ ମାମଲା ରୁଜୁ କରିଛି ପୋଲିସ। କେକେଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି।

କେକେ ସାରା ଭାରତରେ ଜଣେ ଲୋକପ୍ରିୟ ଗାୟକ ଭାବେ ପରିଚିତ ଥିଲେ। ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ସେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଓ ବଙ୍ଗଳା ଆଦି ଭାଷାରେ ଅନେକ ଗୀତ ଗାଇଛନ୍ତି। କେକଙ୍କ  ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏହାସହ ବହୁ ସିନେ କଳାକାର ମଧ୍ଯ କେକେଙ୍କ ବିୟୋଗରେ ମର୍ମାହତ। ଅକ୍ଷୟ କୁମାର, ଶ୍ରେୟା ଘୋଷାଲ, ପ୍ରିତମଙ୍କ ପରି ଅନେକ ବଡ଼ ବଡ଼ ସେଲେବ୍ରିଟି ଟ୍ୱିଟ୍ କରି ଶୋକ ବ୍ୟକ୍ତ କରିଛନ୍ତି।