କୋଭିଡ୍ ବାହାନାରେ ଡାଏଲିସିସ୍‌, କେମୋଥେରାପି ପାଇଁ ମନା କରିପାରିବେନି ଘରୋଇ ହସ୍ପିଟାଲ

ଭୁବନେଶ୍ୱର: ଘରୋଇ ଡାକ୍ତରଖାନା ପାଇଁ ଜାରିହେଲା ଗାଇଡଲାଇନ୍‌ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଛି ଗାଇଡଲାଇନ । ଲକଡାଉନ ଆଳରେ ଡାଏଲିସିସ୍‌ , କେମୋଥେରାପି ଭଳି ଅନେକ ଜରୁରୀକାଳୀନ ସେବା ଯୋଗାଇବାରେ ଅନେକ ଘରୋଇ ଡାକ୍ତରଖାନା ପଛଘୁଞ୍ଚା ଦେଉଥିବା ନଜରକୁ ଆସିଥିବା ସ୍ୱାସ୍ଥ୍ୟ ବିଭାଗ କହିଛି ।  ଏହା ଆଦୌ ଗ୍ରହଣୀୟ ନୁହଁ । କେନ୍ଦ୍ର ସରକାର ମଧ୍ୟ ଜରୁରୀ ଡାକ୍ତରୀ ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।  କେବଳ ଏତିକି ନୁହଁ ଜରୁରୀ ସେବା ଯୋଗାଇବା ପୂର୍ବରୁ କୋଭିଡ ୧୯ ପରୀକ୍ଷା କରାଇବା ପାଇଁ କହୁଥିବା ସରକାରଙ୍କ ନଜରକୁ ଆସିଛି । ଏହା ଗ୍ରହଣୀୟ ନୁହଁ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।

  ରାଜ୍ୟର କୋଭିଡ ହସ୍ପିଟାଲକୁ ବାଦ ଦେଇ ଅନ୍ୟ ସମସ୍ତ ଘରୋଇ ଡାକ୍ତରଖାନା ଓ କ୍ଲିନିକ ଜରୁରୀ ସେବା ପାଇଁ ଆସୁଥିବା ବ୍ୟକ୍ତିଙ୍କ ପାଇଁ କୋଭିଡ ସନ୍ଦେହ ରହିଲେ ସ୍ୱତନ୍ତ୍ର ଆଇସୋଲେସନ ୟୁନିଟ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।  ଏହି ଦୃଷ୍ଟିରୁ ଯେକୈାଣସି ଜରୁରୀ ସେବା ପାଇଁ ଡାକ୍ତରଖାନାକୁ ଆସୁଥିବା ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାର ଉଲଂଘନ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଏପରିକି ଆବଶ୍ୟକ ପଡିଲେ ଲାଇସେନ୍ସ ରଦ୍ଦ କରାଯିବ ବୋଲି ତାଗିଦ କରିଛି ସ୍ୱାସ୍ଥ୍ୟ ବିଭାଗ ।

Leave a Reply