ଏପ୍ରିଲରେ ସର୍ବକାଳୀନ ସର୍ବାଧିକ ୫୦୩୫.୭୪ କୋଟି ଟଙ୍କାର ଜିଏସଟି ଆଦାୟ କରିଛି ଓଡ଼ିଶା

ଭୁବନେଶ୍ୱର: ୨୦୨୩ ମସିହା ଏପ୍ରିଲ ମାସରେ ରାଜ୍ୟର ଜିଏସଟି ବାବଦକୁ ୫ହଜାର ୩୫କୋଟି ୭୪ଲକ୍ଷ ଟଙ୍କା ଆଦାୟ ହୋଇଛି। ଏହା ସର୍ବକାଳୀନ ସର୍ବାଧିକ ସଂଗ୍ରହ। ରାଜ୍ୟ ଜିଏସଟି ବା ଓଜିଏସଟି ଓ ସମନ୍ବିତ ଜିଏସଟି ବା ଆଇଜିଏସଟି ବାବଦକୁ ୨୦୨୩ ମସିହା ଏପ୍ରିଲ ମାସରେ ଓଡିଶାକୁ ମିଳିବାକୁ ଥିବା ଜିଏସଟି ପରିମାଣ ସହ ୨୩୫୯.୧୭ କୋଟି ଟଙ୍କା ସଂଗ୍ରହ ହୋଇଛି । ଗତବର୍ଷ ଏପ୍ରିଲ ମାସରେ ୧୬୮୦କୋଟି ଟଙ୍କା ତୁଳନାରେ ଏଥର ୪୦.୪୩ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଚଳିତ ବର୍ଷ ଏପ୍ରିଲରେ ରାଜ୍ୟ ବାଣିଜ୍ୟ ଏବଂ ଜିଏସଟି ବିଭାଗ ଦ୍ୱାରା ସଂଗ୍ରହ ହୋଇଥିବା ଜିଏସଟି, ଭାଟ, ବୃତ୍ତିଗତ କର, ପ୍ରବେଶ ଶୁଳ୍କ ଭଳି ବିଭିନ୍ନ ଟିକସ ଏବଂ ଜିଏସଟିରେ ମିଶିଥିବା ସମସ୍ତ ଟିକସର ବକେୟା ରାଶି ସଂଗ୍ରହ କ୍ଷେତ୍ରରେ ଗତବର୍ଷ ତୁଳନାରେ ୩୬.୭୦ ପ୍ରତିଶତ ଅଭିବୃଦ୍ଧି ହୋଇଛି। ୨୬୬୧.୯୨ କୋଟି ଟଙ୍କା ସଂଗ୍ରହ ହୋଇଛି। ଗତବର୍ଷ ଏପ୍ରିଲ ମାସରେ ୧୯ଶହ ୪୭.୨୧ କୋଟି ଟଙ୍କା ଆଦାୟ ହୋଇଥିଲା। ଏଥର ସେବା କ୍ଷେତ୍ର ଓ କାରବାର କ୍ଷେତ୍ରରେ ବୃଦ୍ଧି ହୋଇଥିବାରୁ ଟିକସ ସଂଗ୍ରହ ଅଧିକ ହୋଇଛି।