ଇଥାନଲ ମିଶ୍ରିତ ପେଟ୍ରୋଲ ନେଇ ଲୋକଙ୍କୁ ଭଣ୍ଡାଉଛି କେନ୍ଦ୍ର

1 min read

ଭୁବନେଶ୍ବର: ଇଥାନଲ ମିଶ୍ରିତ ପେଟ୍ରୋଲ ନେଇ ଲୋକଙ୍କୁ ଭଣ୍ଡାଉଛି କେନ୍ଦ୍ର । ୨୦୧୪ରୁ ଇଥାନଲ ମିଶ୍ରିତ ପେଟ୍ରୋଲ ବିକି କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଲକ୍ଷାଧିକ କୋଟି ଲାଭ କଲେଣି । ହେଲେ ଶସ୍ତା ହୋଇନି ପେଟ୍ରୋଲ ଓ ଡିଜେଲ ଦର । ଚଳିତବର୍ଷ ଏଲ୍ନିନୋ ପ୍ରଭାବରେ ଆଖୁ ଉତ୍ପାଦନ ପ୍ରଭାବିତ ହୋଇଛି । ଆଖୁରସ ଓ ମୋଲାସେସ୍ ବ୍ୟବହାର ଉପରେ ବ୍ୟାନ୍ ଲଗାଇଲାଣି କେନ୍ଦ୍ର ଖାଦ୍ୟ ମନ୍ତ୍ରାଳୟ । ଏପରି ସ୍ଥଳେ ଇଥାନଲ୍ ମିଶ୍ରିତ ପେଟ୍ରୋଲ ଲିଟର ୨୫ ଟଙ୍କାରୁ ୩୦ ଟଙ୍କାରେ ମିଳିବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ବାଣୀ ଏବେ ଫ୍ଲପ୍ ହେବାକୁ ଯାଉଛି । ଧରାପଡ଼ିଲା କେନ୍ଦ୍ରର ଚାଲାକି  । ଇଥାନଲ୍ ମିଶ୍ରିତ ପେଟ୍ରୋଲ ବିକି ତୈଳ କମ୍ପାନୀ ଓ କେନ୍ଦ୍ର ସରକାର ମାଲାମାଲ୍  । ୨୦୧୪ରୁ ଲାଭ କଲେଣି ଲକ୍ଷାଧିକ କୋଟି  । ହେଲେ ପେଟ୍ରୋଲ ଓ ଡିଜେଲ ଯେଉଁ ମହଙ୍ଗାକୁ ସେଇ ମହଙ୍ଗା  ।

ପେଟ୍ରୋଲରେ ମିଶିବ ଇଥାନଲ । ୨୫ରୁ ୩୦ ଟଙ୍କାରେ ମିଳିବ ତେଲ । କମିବ ସବୁଜ ଗୃହ ପ୍ରଭାବ । ବଢିବ ବୈଦେଶିକ ମୁଦ୍ରା । ଦିନେ ଏପରି ଦାବି କରିଥିଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ହେଲେ ବାସ୍ତବତା ସମ୍ପୂର୍ଣ୍ଣ ଓଲଟା । ଏବେ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ଦାବିକୁ ପାଣିଚିଆ କରିଛି କେନ୍ଦ୍ର ଖାଦ୍ୟ ମନ୍ତ୍ରାଳୟ । ଚଳିତବର୍ଷ ନଭେମ୍ବରରୁ ଆସନ୍ତାବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ଇଥାନଲ ଯୋଗାଣ ବର୍ଷ ପାଇଁ ମିଳିବନି ଆଖୁରସ କି ମୋଲାସସ୍ । ଗୋଟିଏ ଲିଟର ପେଟ୍ରୋଲରେ ୨୦୦ ମିଲିଲିଟର ଇଥାନଲ୍ ମିଶ୍ରଣ କଲେ ବାର୍ଷିକ ୧୦.୧୬ ବିଲିୟନ୍ ଲିଟର୍ ଇଥାନଲ ଭାରତକୁ ଆବଶ୍ୟକ । ଖୋଦ ନୀତି ଆୟୋଗ ଏହି ହିସାବ କେନ୍ଦ୍ରକୁ ଦେଇଥିଲା । କିନ୍ତୁ ବାସ୍ତବତା ହେଉଛି ଆଖୁ, ଖୁଦ ଚାଉଳ, ମକା ଗୁଣ୍ଡରୁ ଦେଶରେ ଉତ୍ପାଦନ ହେଉଛି ମାତ୍ର ୪.୯୪ ବିଲିୟନ୍ ଲିଟର୍ ଇଥାନଲ୍ । ସବୁ ପେଟ୍ରୋଲ ପମ୍ପରେ ୧୨ ପ୍ରତିଶତ ଇଥାନଲ୍ ମିଶ୍ରିତ ପେଟ୍ରୋଲ କିଣୁଛନ୍ତି ଲୋକେ । ବିଶୋଧିତ ପେଟ୍ରୋଲର ମୂଳ ଦର ୫୮ ଟଙ୍କା ୧୪ ପଇସା । ତା ଉପରେ କେନ୍ଦ୍ର ସରକାରଙ୍କ ଟିକସ ୧୯ ଟଙ୍କା ୯୦ ପଇସା । ତୈଳ କମ୍ପାନୀଙ୍କ ପାଇଁ ଇଥାନଲ ବି ବିଶୋଧିତ ତୈଳ ଦରଠାରୁ ମହଙ୍ଗା । ୪୬ଟଙ୍କାରୁ ୬୫ ଟଙ୍କା ୬୦ ପଇସାରେ ଇଥାନଲ୍ ଉପଲବ୍ଧ ହେଉଛି । ଏଭଳି କ୍ଷେତ୍ରରେ ଜୈବ ପେଟ୍ରୋଲଠାରୁ ବାୟୋ ପେଟ୍ରୋଲ ଶସ୍ତା ହେଲା କେମିତି ? ଯଦି ଇଥାନଲ ଉପରେ କେନ୍ଦ୍ର କମ୍ ଟିକସ୍ କିମ୍ବା ଟିକସ ମୁକ୍ତ କରିଥାନ୍ତା ତାହେଲେ ପେଟ୍ରୋଲ ଲିଟର ପିଛା ୫ ଟଙ୍କା କମ୍ ହୋଇଥାନ୍ତା ।

୨୦୧୪ରୁ କେନ୍ଦ୍ର ସରକାର ପ୍ରଥମେ ୨ ପ୍ରତିଶତ ଇଥାନଲ ମିଶ୍ରଣ ଆରମ୍ଭ କଲେ । ୨୦୨୨-୨୩ ସୁଦ୍ଧା ପେଟ୍ରୋଲରେ ମିଶିଲାଣି ୧୨ ପ୍ରତିଶତ ଇଥାନଲ୍ । ହେଲେ ୨୦୨୨ ମେ ମାସରୁ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୩୭ ପଇସା ଗଣୁଛନ୍ତି ସାଧାରଣ ଲୋକେ । ଡିଜେଲ ଦର ବି ଅପରିବର୍ତ୍ତିତ ରହିଛି । ବିଶେଷଜ୍ଞଙ୍କ ମତ ଗୋଟିଏ ଲିଟର ଇଥାନଲ୍ ଉତ୍ପାଦନ ପାଇଁ ୧ ହଜାର ଲିଟର ପାଣି ଆବଶ୍ୟକ । ତାହେଲେ ୧୦.୧୬ ବିଲିୟନ୍ ଲିଟର ଇଥାନଲ ପାଇଁ ଆବଶ୍ୟକ ପାଣି କେନ୍ଦ୍ର ସରକାର ଯୋଗାଇପାରିବେ ତ? ଯଦି ଇଥାନଲ୍ ମିଶ୍ରିତ ପେଟ୍ରୋଲ ସବୁଠି ମିଳୁଛି ତାହେଲେ ୩ଟି ଯାକ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ କାହିଁକି ସେମାନଙ୍କ ଫିଲିଂ ଷ୍ଟେସନ୍ରେ ଲୋକଙ୍କୁ ଏ ସମ୍ପର୍କରେ ଅବଗତ କରିନାହାନ୍ତି ? ଇଥାନଲ୍ ମିଶିଲେ ପେଟ୍ରୋଲ ଦର କମିବ ବୋଲି କେନ୍ଦ୍ରମନ୍ତ୍ରୀଙ୍କ ଦାବି କେବଳ ନିର୍ବାଚନୀ ଧୂଆଁବାଣ ।