କହ୍ନେୟା ଲାଲ ମର୍ଡର ପଛରେ ରହିଛି କି ପାକିସ୍ତାନ ଲିଙ୍କ? ତଦନ୍ତ ଲାଗି ଉଦୟପୁରରେ NIAର ସ୍ୱତନ୍ତ୍ର ଟିମ୍

ଜୟପୁର: ରାଜସ୍ଥାନ ଉଦୟପୁର ଦରଜୀ କହ୍ନେୟା ଲାଲ ହତ୍ୟା ମାମଲା । ହତ୍ୟାକାଣ୍ଡର ତଦନ୍ତ ଭାର ନେଲା ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏନଆଇଏର ସ୍ୱତନ୍ତ୍ର ଟିମ୍ । ଏହି ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡର କୌଣସି ପ୍ରକାର ଆନ୍ତର୍ଜାତିକ ଲିଙ୍କର ତଦନ୍ତ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ । ସେପଟେ ଯେଉଁମାନେ ଏହି ହତ୍ୟାକାଣ୍ଡ ସହ ଜଡ଼ିତ ସେମାନଙ୍କ ବିରୋଧରେ ପଦକ୍ଷେପ ନେବାକୁ କହିଛନ୍ତି ରାଜସ୍ଥାନ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଦିନେଶ ଏମଏନ । କେତେକ ଅଭିଯୁକ୍ତଙ୍କୁ ଜେରା କରାଯାଉଥିବା ସୂଚନା ଦେଇଛନ୍ତି ଦିନେଶ । ମୃତ କହ୍ନେୟା ଲାଲଙ୍କ ପୋଷ୍ଟମର୍ଟମ ହୋଇଥିବାବେଳେ ଘଟଣାରେ ୭ ଜଣଙ୍କୁ ପୋଲିସ ଅଟକ ରଖିଛି । କହ୍ନେୟା ହତ୍ୟାକାଣ୍ଡ ସହ ଜଡ଼ିତ ଦୁଇ ଅଭିଯୁକ୍ତଙ୍କ ସହ ପାକିସ୍ତାନ ଏକ ଆତଙ୍କବାଦୀ ସଂଗଠନର ସମ୍ପର୍କ ରହିଛି ବୋଲି ସୂଚନା ମିଳିଛି । ଏହି ଦୁଇ ଅଭିଯୁକ୍ତ ହେଲେ ଗୌସ ମହମ୍ମଦ ଓ ରିୟାଜ ଅଖତାରିଙ୍କୁ ଗିରଫ କରାଯାଇଛି ।

 

ସେପଟେ କହ୍ନେୟା ଲାଲ ହତ୍ୟାର ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ତାଙ୍କ ଦେହରେ ୨୬ଟି କ୍ଷତ ଚିହ୍ନ ଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଏହି ଘଟଣାକୁ ସରକାର ଗୁରୁତର ସହ ବିଚାର କରୁଛନ୍ତି ଏବଂ ଅଭିଯୁକ୍ତଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ । ତେଣେ ଏହି ହତ୍ୟାକାଣ୍ଡ ବିରୋଧରେ ଦେଶବ୍ୟାପୀ ବିରୋଧ କରିବାକୁ ଘୋଷଣା କରିଛି ବଜରଙ୍ଗ ଦଳ ।

ଅନ୍ୟପଟେ କାର୍ଯ୍ୟରେ ଅବହେଳା ବିରୋଧରେ ଧନ୍ ମଣ୍ଡି ପୋଲିସ ଥାନାର ଜଣେ ଏଏସଆଇଙ୍କୁ ସସପେଣ୍ଡ କରାଯାଇଛି । ସ୍ଥିତି ନିୟନ୍ତ୍ରଣ ଲାଗି ସହରରେ ୬୦୦ରୁ ଅଧିକ ପୋଲିସ ମୁତୟନ କରାଯାଇଛି । ଏହି ହତ୍ୟା ଘଟଣାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି, ଶଶି ଥରୁର ପ୍ରମୁଖ ନିନ୍ଦା କରିଛନ୍ତି । ତେଣେ ଏହି ହତ୍ୟାକାଣ୍ଡକୁ ସମାଲୋଚନା କରିଛନ୍ତି ଏଆଇଏମପିଏଲବି ସାଧାରଣ ସମ୍ପାଦକ ମୌଲାନା ଖଲିଦ ସୈଫୁଲ୍ଲା ରହମାନି । ଏହା ଏକ ଦୁଃଖଦ ଘଟଣା ବୋଲି ସେ କହିଛନ୍ତି । ତେଣେ ମୃତ କହ୍ନେୟା ଲାଲଙ୍କ ପଡୋଶୀ କହିଛନ୍ତି ଯଦି କହ୍ନେୟାଙ୍କୁ ଉପଯୁକ୍ତ ସୁରକ୍ଷା ଦିଆଯାଇପାରିଥାନ୍ତା ତେବେ ତାଙ୍କ ଜୀବନ ରକ୍ଷା ହୋଇପାରିଥାନ୍ତି ।