ସରକାରୀ କ୍ବାର୍ଟର୍ସ ମାଡ଼ି ବସିଛନ୍ତି ସାମ୍ବାଦିକ

1 min read

ଭୁବନେଶ୍ବର: ଭୁବନେଶ୍ବରରେ ସରକାରୀ କ୍ବାର୍ଟର୍ସ ମାଡ଼ି ବସିଛନ୍ତି ବରିଷ୍ଠ ସାମ୍ବାଦିକ । ବେଆଇନ ଭାବେ ସରକାରୀ କ୍ବାର୍ଟର୍ସରେ ରହୁଥିବା ସାମ୍ବାଦିକଙ୍କ ମଧ୍ୟରୁ ଅନେକ ସରକାରଙ୍କ ଦ୍ବାରା ଅଧିସ୍ବୀକୃତ ମଧ୍ୟ ନୁହନ୍ତି । ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଉଥିବା ଏହି ବ୍ୟକ୍ତିମାନେ ସରକାରୀ କ୍ବାର୍ଟର୍ସକୁ କିଛି ଜାଗାରେ ଭଡ଼ା ସୁତ୍ରରେ ଲଗାଇ ଅର୍ଥ ରୋଜଗାର କରୁଛନ୍ତି । ଏସବୁ କ୍ବାର୍ଟର୍ସରେ ଇଲେକ୍ଟ୍ରିକ ମିଟର ଟାମ୍ପରିଙ୍ଗ କରି ବିଜୁଳି ଦେୟ ଫାଙ୍କିବାକୁ ବାଟ ଖୋଲିଛନ୍ତି । ସରକାରୀ କ୍ବାର୍ଟର୍ସ ହାତେଇଥିବା ଅନେକ ସାମ୍ବାଦିକଙ୍କ ବିୟୋଗ ପରେ ମଧ୍ୟ ସେମାନଙ୍କ ପରିବାର କ୍ବାର୍ଟର୍ସ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ ଜୟନ୍ତ କୁମାର ଦାସ । ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଜୟନ୍ତ । ୨୦-୩୦ ବର୍ଷ ହେଲା ସରକାରୀ କ୍ବାର୍ଟର୍ସରେ ରହୁଥିବା ସାମ୍ବାଦିକ ବୃତ୍ତିଗତ ସାମ୍ବାଦିକତା ପେଶାରୁ ନିବୃତ୍ତ ହେଲା ପରେ ବି କ୍ବାର୍ଟର୍ସ ମୋହ ଛାଡ଼ିପାରୁ ନାହାନ୍ତି । ଫଳରେ ଅନେକ ଯୋଗ୍ୟ ସାମ୍ବାଦିକଙ୍କ ପାଇଁ ସରକାରୀ କ୍ବାର୍ଟର୍ସ ଦିବା ସ୍ବପ୍ନ ପାଲଟିଛି ।

୨୦୧୩ର ଏକ ମାମଲାର ବିଚାର କରି ଜଷ୍ଟିସ ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ ପି. ସଦାଶିବମଙ୍କ ଖଣ୍ଡପୀଠ ଏଭଳି ଅନଧିକୃତ ସରକାରୀ କ୍ବାର୍ଟର୍ସ ଦଖଲ ନେଇ କଡ଼ା ଟିପ୍ପଣୀ ଦେଇଥିଲେ । ଏଥିସହ କ୍ବାର୍ଟର୍ସ ଖାଲି ପାଇଁ ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗରେ ଯେଉଁ ୬୫ ଜଣ ସାମ୍ବାଦିକଙ୍କ ତାଲିକା ରହିଛି, ସେଥିରୁ କିଛି ସାମ୍ବାଦିକଙ୍କ ବିୟୋଗ ପରେ ତାଙ୍କ ପରିବାର ସଂପୃକ୍ତ କ୍ବାର୍ଟର୍ସ ମାଡ଼ି ବସିବାକୁ ଫନ୍ଦି ଫିକର କରୁଛନ୍ତି । କିଏ ଟ୍ରଷ୍ଟ ନାଁରେ କ୍ବାର୍ଟର୍ସ ହାତେଇବାକୁ ଉଦ୍ୟମ କରୁଛି ତ ପୁଣି କିଏ କିଛି ଅନାମଧେୟ ଖବରକାଗଜ କାର୍ଯ୍ୟାଳୟ ନାଁରେ କବଜା କରିଛନ୍ତି । ଏପରିକି କ୍ବାର୍ଟର୍ସରେ ରହୁଥିବା କିଛି ସାମ୍ବାଦିକଙ୍କର ରାଜଧାନୀରେ ଏକାଧିକ ବହୁତଳ ପ୍ରାସାଦ ରହିଛି । କିଛି ନିଜକୁ ସାମ୍ବାଦିକ ପରିଚୟ ଦେଇ କ୍ବାର୍ଟର୍ସ ହାତେଇଥିବା ବେଳେ ଅସଲରେ ସେମାନେ ଦଲାଲି କରୁଥିବା ଦେଖାଯାଉଛି ।

ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟରେ ୬୫ ସାମ୍ବାଦିକଙ୍କ ନାମ, ପଦବୀ, ସଂସ୍ଥା ସହ କ୍ବାର୍ଟର୍ସ ନମ୍ବର ଆଧାରିତ ତଥ୍ୟ ଅଭିଯୋଗକାରୀ ମୁଖ୍ୟମନ୍ତ୍ରୀଙ୍କୁ ଦେବା ପରେ ଏସବୁ ସାମ୍ବାଦିକଙ୍କ ମନରେ ଛନକା ପଶିଛି ।